
ଖୋର୍ଦ୍ଧା, ୦୬ ଅକ୍ଟୋବର (ହି.ସ.) - ପାର୍ବଣକୁ ଦୃଷ୍ଟିରେ ରଖି ଜିଲାରେ ଶାନ୍ତି, ଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଅପରାଧ ନିୟନ୍ତ୍ରଣ ଅଭିଯାନ ଜୋରଦାର କରାଯାଇଛି। ତେବେ ଶିଳ୍ପାଂଚଳ ଥାନା ପୋଲିସ ଏକ ବଡ଼ ଅପରାଧ ଯୋଜନାକୁ ପଣ୍ଡ କରି ୩ ଜଣଙ୍କୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଗତ ୫ ତାରିଖ ସନ୍ଧ୍ୟାରେ ଶିଳ୍ପାଂଚଳ ଥାନା ପୋଲିସ ଉପଖଣ୍ଡ ଅଧୂକାରୀଙ୍କ ତତ୍ୱାବଧାନରେ ଶିଳ୍ପାଂଚଳ ଥାନା ପୋଲିସ ଟିମ୍ ମୁକୁନ୍ଦପ୍ରସାଦ ଓ ଗଡ଼ଖୋର୍ଦ୍ଧା ଅଂଚଳରେ ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରୁଥିଲା। ପ୍ରାୟ ରାତି ୭ଟା ୪୦ ମିନିଟ୍ ସମୟରେ ଗଡ଼ଖୋର୍ଦ୍ଧା-ପୁରୀ ରାସ୍ତା ନିକଟ ଗଡ଼ଚଣ୍ଡୀ ମନ୍ଦିର ପଛପଟେ କିଛି ସନ୍ଦିଗ୍ଧ ବ୍ୟକ୍ତି ଏକାଠି ହୋଇ ଡକାୟତି କରିବାକୁ ଯୋଜନା କରୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ପରେ ଘଟଣାସୁଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩ ଜଣଙ୍କୁ କାବୁ କରାଯାଇଥିବାବେଳେ ଅନ୍ୟ ୨ ଜଣ ଅନ୍ଧାର ଓ ଜଙ୍ଗଲିଆ ଅଂଚଳର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଅଂଚଳର ଚିନ୍ମୟ ସାମନ୍ତରାୟ ଓରଫ ଚିନା (୨୬), ଆକାଶ ରାଉତରାୟ ଓରଫ ଓଢ଼ା (୨୪) ଏବଂ ଜିତେନ୍ଦ୍ର ରାଉତରାୟ ଓରଫ ଜିତୁ (୨୮)। ପୋଲିସ ତଲାସି ସମୟରେ ଏମାନଙ୍କ ନିକଟରୁ ଗୋଟିଏ ଭୁଜାଲି, ଗୋଟିଏ ଲୁହା ଛୁରୀ, ଦୁଇଟି ଲୁହା ରଡ୍, ଗୋଟିଏ ଟେକନୋ ସ୍ପାର୍କ ମୋବାଇଲ ଫୋନ୍ ଓ ଗୋଟିଏ ବାଇକ୍ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ଏକତ୍ର ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ବିଶେଷକରି ରାତି ସମୟରେ ଯାନବାହନ ଓ ସମ୍ପତିକୁ ଟାର୍ଗେଟ କରିବା ପାଇଁ ସେମାନେ ପ୍ରସ୍ତୁତ ହେଉଥିବା ନେଇ ପୋଲିସ ସୂଚନା ଦେଇଛିଏହି ଘଟଣାକୁ ନେଇ ଶିଳ୍ପାଂଚଳ ଥାନା ପୋଲିସ ଥାନାରେ କେସ୍ ନଂ-୩୨୩, ତା. ୦୫.୧୦.୨୦୨୬ରେ ୩୧୦(୪)/୩୧୦(୫) ବିଏନଏସ ଅନୁଯାୟୀ ମାମଲା ରୁଜୁ କରାଯଇଛି। ଗିରଫ ୩ ଅଭିଯୁକ୍ତଙ୍କ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ୨ ସହଯୋଗୀଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଓ ଚଢ଼ାଉ ଜାରି ରହିଛି। ଏଥୂସହ ଗିରଫ ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ଓ ଅନ୍ୟ କୌଣସି ମାମଲାରେ ସେମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ