ବଡ଼ମାଳ-ସୁନାରୀମୁଣ୍ଡା ରାସ୍ତାରେ ଘନ ଅନ୍ଧାର, ବଢ଼ୁଛି ଦୁର୍ଘଟଣାର ଭୟ; ଏକ ସପ୍ତାହ ହେଲା ଅଚଳ ଷ୍ଟ୍ରିଟ୍ ଲାଇଟ୍
Demand to rectify street light
ବଡ଼ମାଳ-ସୁନାରୀମୁଣ୍ଡା ରାସ୍ତାରେ ଘନ ଅନ୍ଧାର, ବଢ଼ୁଛି ଦୁର୍ଘଟଣାର ଭୟ; ଏକ ସପ୍ତାହ ହେଲା ଅଚଳ ଷ୍ଟ୍ରିଟ୍ ଲାଇଟ୍


ଝାରସୁଗୁଡ଼ା, ୬ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ସହରର ବଡ଼ମାଳ ବିଜୁ ପଟ୍ଟନାୟକ ଛକରୁ ସୁନାରୀମୁଣ୍ଡା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ସନ୍ଧ୍ୟା ପରେ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ୁଛି। ଗତ ଏକ ସପ୍ତାହ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାଟି ବିଜୁ ଏକ୍ସପ୍ରେସ୍ ୱେ ସହ ସିଧାସଳଖ ସଂଯୁକ୍ତ ହୋଇଥିବାରୁ ଏଠାରେ ଦିନରାତି ଯାନବାହନ ଚଳାଚଳ କରିଥାଏ। ବିଭିନ୍ନ ଶିଳ୍ପାନୁଷ୍ଠାନର ଭାରୀଯାନ ମଧ୍ୟ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଛି। ଏହାସହ ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ କରୁଥିବାରୁ ରାତିରେ ରାସ୍ତା ଅନ୍ଧାର ରହିବା ଫଳରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ବିଶେଷକରି ରାସ୍ତାରେ ଭାରୀଯାନ ଓ ଅନ୍ୟ ଯାନବାହନ ଚଳାଚଳ ସମୟରେ ଷ୍ଟ୍ରିଟ୍ ଲାଇଟ୍ ନ ଜଳିବା ଯୋଗୁଁ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଯେକୌଣସି ସମୟରେ ବଡ଼ଧରଣର ଦୁର୍ଘଟଣା ଘଟିବାର ଭୟ ରହିଛି।

ସମସ୍ୟାର ତୁରନ୍ତ ସମାଧାନ କରି ଅଚଳ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ସରବାହାଲ ଓ ବଡ଼ମାଳ ଅଞ୍ଚଳର ବାସିନ୍ଦା ତ୍ରିନାଥ ତିୱାରୀ, ସଂକୀର୍ତ୍ତନ ପ୍ରଧାନ, ବଳିଆ ପଣ୍ଡାଙ୍କ ସମେତ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏ ସମ୍ପର୍କରେ ଝାରସୁଗୁଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ। ତେବେ ରାସ୍ତାରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇବା ପାଇଁ ପୌର ପ୍ରଶାସନ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande