
- ବିଜେଡିର ସମଦୂରତା ନୀତି ନେଇ ପ୍ରଶ୍ନ କଲା ବିଜେପି
- ଇଣ୍ଡି ମେଂଟକୁ ବିଜେଡି ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛି - ପ୍ରଦୀପ ମାଝୀ
- ଡେରି ହେଲେବି ନବୀନ ବାବୁ ବୁଝିଲେ - ତାରା ବାହିନୀପତି
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଇଣ୍ଡି ମେଂଟ ରାଲିରେ ବିଜେଡି ଯୋଗଦେବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି। କୁଆଡେ ଗଲା ବିଜେଡିର ସମଦୂରତା ନୀତି ବୋଲି ପ୍ରଶ୍ନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ପୂର୍ବରୁ ସେମାନେ ମିଶି କରି ଥିଲେ, ଏବେ ସାମ୍ନାକୁ ଆସିଲେ।
ସେହିପରି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଏଥିରୁ ନବୀନ ବାବୁଙ୍କ ଅସଲ ଚେହେରା ଜଣା ପଡ଼ିଯାଇଛି। ନବୀନ ବାବୁଙ୍କ ଛଦ୍ମବେଶୀ ସମଦୂରତା ମନ୍ତବ୍ୟର ପର୍ଦ୍ଦାଫାସ ହୋଇଛି। କଂଗ୍ରେସ ଦଳ ସହ ବିଜେଡିର ମେଂଟ ଓଡ଼ିଶାରେ ହୋଇ ସାରିଥିଲା। ୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ପରେ କଂଗ୍ରେସ ସମର୍ଥନରେ ଜିତୁଥିଲେ। ଇଣ୍ଡି ମେଂଟ ରାଲିରେ ସାମିଲ ହେଲା ପରେ ଏହା ସ୍ପଷ୍ଟ ହୋଇଗଲା। ପ୍ରତ୍ୟାଖିତ ହୋଇଥିବା ଦଳକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।
ଇଣ୍ଡି ପ୍ରତିବାଦରେ ବିଜେଡି ସାଂସଦ ସାମିଲ ନେଇ ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ବିଜେଡି କଥା ଆଉ କାମରେ ଫରକ ଥାଏ। କିଛି ଦିନ ତଳେ ଇଣ୍ଡି ମେଂଟ ବୈଠକରେ ତାଙ୍କ ସାଂସଦ ଯୋଗ ଦେଇଥିଲେ। ଓଡ଼ିଶାର ସ୍ୱାର୍ଥ ନୁହେଁ, ନିଜର ଅସ୍ତିତ୍ୱ ବଂଚାଇବାକୁ ବିଜେଡି ଇଣ୍ଡିକୁ ସମର୍ଥନ ଜଣାଇଛି। ବିଜେଡି ନିର୍ମୁଳି ଲତା ହୋଇସାରିଛି ଏବଂ ବଂଚିବାକୁ ଅନ୍ୟର ସାହାରା ଖୋଜୁଛି।
ଅନ୍ୟପକ୍ଷରେ ବିଜେପିକୁ ଜବାବ ଦେଇ ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ଇଣ୍ଡି ମେଂଟକୁ ବିଜେଡି ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛି । ବିଜେପି ପୂରା ଇଲେକ୍ସନ ସିଷ୍ଟମକୁ ହାଇଜାକ୍ କରି ନେଇଯାଇଛି। ସେଥିରେ ଭାରତର ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷା ଦେବାକୁ ଏନ୍ଡିଏ ବିରୋଧୀ ମେଂଟ ଏକଜୁଟ୍ ହେବାର ଆବଶ୍ୟକତା ଅଛି। ଯାହାକୁ ପାଥେୟ କରି ଆଜି ବିଜେଡି ଇଣ୍ଡି ମେଂଟକୁ ସମର୍ଥନ ଦେଇଛି।
ଅପରପକ୍ଷରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ସମର୍ଥନ ପାଇଁ ଆମେ ଅତି ଆନନ୍ଦିତ, କିନ୍ତୁ ବହୁତ ଡେରି ହୋଇଗଲା। ନବୀନ ବାବୁ ୨୪ ବର୍ଷ ଶାସନରେ କଂଗ୍ରେସକୁ କେବେ ସମର୍ଥନ ଦେଇନଥିଲେ।ଏବେ ବିଜେପି-ବିଜେଡି ପ୍ରେମ ଭାଙ୍ଗି ଯାଇଛି। ବହୁତ ଡେରି ହେଲେବି ନବୀନ ବାବୁ ବୁଝିଲେ। ବିଜେପି ସରକାରରେ ଓଡ଼ିଶା ପାଇଁ ଯେଉଁ ଅବହେଳା ହୋଇଛି ତାକୁ ନବୀନ ବାବୁ ବୁଝି ପାରିଛନ୍ତି। ଦଳ ତରଫରୁ ଏବଂ ମୋ ତରଫରୁ ନବୀନଙ୍କୁ ଧନ୍ୟବାଦ। ବିଜେଡି-କଂଗ୍ରେସ ଏକ ହେବା ନିଷ୍ପତି ଭକ୍ତ, ରାହୁଲ ନେବେ। ନବୀନ ପ୍ରଥମେ ଘୋଷଣା କରନ୍ତୁ ମୁଁ ଇଣ୍ଡିଆ ମେଂଟରେ ମିଶିଲି। ପୂର୍ବରୁ ସେ ସମଦୂରତା କହି ବିଜେପିକୁ ସମର୍ଥନ ଦେଇ ଆସିଛନ୍ତି, ଏବେ ରାଲିରେ ମିଶିଛନ୍ତି। ଏବେ ଧୋକା ଖାଇଲା ପରେ କୁଆଡ଼େ ଢଳୁଛନ୍ତି ସମୟ କହିବ ବୋଲି କହିଛନ୍ତି ତାରା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା