
ସମ୍ବଲପୁର-କଟକ ଏନଏଚ୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ ସହ ସମ୍ବଲପୁରରେ ଫ୍ଲାଇଓଭର ନିର୍ମାଣ
ସମ୍ବଲପୁର-କଟକ ଜାତୀୟ ରାଜପଥକୁ ୬-ଲେନ୍ ସହ ଦୁଇପଟେ ସର୍ଭିସ୍ ରୋଡ୍ ନିର୍ମାଣ
ଅନୁଗୋଳ-ସମ୍ବଲପୁର ସେକ୍ସନ୍ର ଜରପଡ଼ା, ଜେରାଙ୍ଗ, ଚାରମାଳ ସମେତ ଅଣ୍ଡରପାସ୍ ନିର୍ମାଣ ମଞ୍ଜୁରୀ
ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ଫ୍ଲାଏଓଭର ନିର୍ମାଣ
ସମ୍ବଲପୁର, ୦୬, ଅକ୍ଟୋବର (ହି.ସ.)ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବଂ ଆଖପାଖ ଅଞ୍ଚଳର ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ, ଯାତାୟାତକୁ ସୁଗମ କରିବା ତଥା ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି । ସମ୍ବଲପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ, ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର-କଟକ ଏନଏଚ-୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ୍ ସହ ସମ୍ବଲପୁରରେ ଫ୍ଲାଇଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନାନୁଯାୟୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି
ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଏବଂ ସହରାଞ୍ଚଳ ସହ ଯୋଡ଼ୁଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥ । ଏଠାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ୪-ଲେନ୍ ବିଶିଷ୍ଟ ରାଜପଥକୁ ୬-ଲେନ୍କୁ ସମ୍ପ୍ରସାରିତ କରିବା ସହ ଉଭୟ ପାର୍ଶ୍ୱରେ ଦୁଇ-ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହେବ ଏବଂ ଦୁର୍ଘଟଣା ହ୍ରାସ ପାଇବ ।
ଦ୍ୱିତୀୟତଃ ଏନଏଚ-୫୫ର ଅନୁଗୋଳ-ସମ୍ବଲପୁର ସେକ୍ସନ୍ରେ ଖଣିଜ ଓ ବାଣିଜ୍ୟିକ ଯାନବାହନ ଚଳାଚଳ ହେତୁ ସ୍ଥାନୀୟ ଲୋକ ଓ ପଦଚାରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ସଡ଼କ ସୁରକ୍ଷାକୁ ଆଖିଆଗରେ ରଖି ପିଆଇୟୁ ସମ୍ବଲପୁର ଦ୍ୱାରା ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଏବଂ ଚାରମାଳ ଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଏହାବ୍ୟତୀତ ଏନଏଚ- ୫୩ ସ୍ଥିତ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ପ୍ରତିଦିନ ଅନେକ ସଂଖ୍ୟକ ରେଳ ଯାତ୍ରୀ ଜାତୀୟ ରାଜପଥ ପାର ହେଉଛନ୍ତି, ଯାହାକି ଗମନାଗମନରେ ସମସ୍ୟା ସୃଷ୍ଟି କରିବା ସହ ଏହାକୁ ଏକ ସମ୍ଭାବ୍ୟ 'ବ୍ଲାକ୍ ସ୍ପଟ୍' ଭାବେ ଚିହ୍ନଟ କରାଯାଇଛି । ଏହି ସ୍ଥାନରେ ଲୋକଙ୍କ ନିରାପଦ ଯାତାୟାତ ପାଇଁ ଏକ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବକୁ ଶୀଘ୍ର ମଞ୍ଜୁରୀ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ଏନଏଚଏଆଇର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରାଗଲେ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶ ଆହୁରି ଦ୍ରୁତଗାମୀ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ