
ଝାରସୁଗୁଡ଼ା, ୬ ଅକ୍ଟୋବର (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ା ପକ୍ଷରୁ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ଅଧିକାର ଓ ସାଇବର ଆଇନ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ତାଳପଟିଆସ୍ଥିତ ସାଲେଗ୍ରାମ ସକୁନିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଲୋକମୟୀ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ସୁରେନ୍ଦ୍ର କୁମାର ଡୁଙ୍ଗୁରୀ, ଜିଲ୍ଲା ପୁଲିସର ଏଲୟୁସିଏଡବ୍ଲୁ ଉପଆରକ୍ଷୀ ଅଧୀକ୍ଷକ ମଣ୍ଡ ହାଁସଦା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜ କୁମାର ପଟେଲ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ସୁରକ୍ଷା ଓ ଅଧିକାର, ପ୍ରଚଳିତ ଦଣ୍ଡବିଧିର ବିଭିନ୍ନ ବ୍ୟବସ୍ଥା, ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା ଓ ଆଇନଗତ ସହାୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏସିଡ୍ ଆକ୍ରମଣ ଏକ ଗୁରୁତର ଅପରାଧ ହୋଇଥିବାରୁ ଏହାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା, ଆଇନଗତ ସହାୟତା, କ୍ଷତିପୂରଣ ଓ ପୁନର୍ବାସ ସୁବିଧା ପାଇବାର ଅଧିକାର ରହିଥିବା ବକ୍ତାମାନେ କହିଥିଲେ। ଏସିଡ୍ ଆକ୍ରମଣ ପୀଡ଼ିତଙ୍କୁ ଆଇନଗତ ପ୍ରତିନିଧିତ୍ୱ ସହ ଚିକିତ୍ସା ଓ ପୁନର୍ବାସ ସୁବିଧା ପାଇବାରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣର ଯୋଜନା ସହାୟକ ହେଉଥିବା ନେଇ ସଚେତନ କରାଯାଇଥିଲା।
ସେହିପରି ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଓ ସାଇବର ଆଇନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ବ୍ୟକ୍ତିଗତ ତଥ୍ୟ ଓ ପାସୱାର୍ଡ ସୁରକ୍ଷିତ ରଖିବା, ଅଜଣା ଲିଙ୍କ୍ ରେ କ୍ଲିକ୍ ନକରିବା, ଅନଲାଇନ୍ ଠକେଇ, ନକଲି ପ୍ରୋଫାଇଲ୍, ସାଇବର ଉତ୍ପୀଡ଼ନ ଓ ଅନ୍ୟାନ୍ୟ ସାଇବର ଅପରାଧରୁ ସତର୍କ ରହିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଲୋକମୟୀ ପ୍ରଧାନ ବର୍ତ୍ତମାନ ଚାଲୁଥିବା ‘ମଧ୍ୟସ୍ଥତା ଅଭିଯାନ-୩.୦’ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ମଧ୍ୟସ୍ଥତା ମାଧ୍ୟମରେ କେଉଁ ପ୍ରକାରର ମାମଲାର ସମାଧାନ ହୋଇପାରିବ ଏବଂ ଏହାଦ୍ୱାରା କିପରି ଶୀଘ୍ର ଓ ସହଜରେ ବିବାଦର ସମାଧାନ କରାଯାଇପାରିବ, ସେନେଇ ସଚେତନ କରାଯିବା ସହ ଅଭିଯାନର ସୁଯୋଗ ନେବାକୁ ସେ ଆହ୍ୱାନ କରିଥିଲେ।
ଆଇନଗତ ସହାୟତା କିମ୍ବା ନ୍ୟାୟ ପାଇବାରେ କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ନେବାକୁ କୁହାଯାଇଥିଲା। ମାଗଣା ଆଇନଗତ ସହାୟତା, ପରାମର୍ଶ ଓ ନ୍ୟାୟ ସମ୍ପର୍କିତ ସୂଚନା ପାଇଁ ନାଲ୍ସାର ଟୋଲ୍ ଫ୍ରି ହେଲ୍ପଲାଇନ୍ ୧୫୧୦୦ରେ ଯୋଗାଯୋଗ କରିବାକୁ ମଧ୍ୟ ସୂଚନା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଓକିଲ ଓ ପାରାଲିଗାଲ୍ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ସମାଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ଆଇନଗତ ସହାୟତା ପହଞ୍ଚାଇବା ସହ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ