ସମାସିଂହାରେ ଭେଡେନ ନଦୀରେ ୧୨୬ କୋଟିର ଜଳସଂରକ୍ଷଣ ପ୍ରକଳ୍ପ, ଟେଣ୍ଡର ଆହ୍ଵାନକୁ ସ୍ଵାଗତ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
MLA welcome the project tender
ସମାସିଂହାରେ ଭେଡେନ ନଦୀରେ ₹୧୨୬ କୋଟିର


ଝାରସୁଗୁଡ଼ା, ୬ ଅକ୍ଟୋବର (ହି.ସ.)- କୋଲାବିରା ବ୍ଲକ୍ ସମାସିଂହା ନିକଟରେ ଭେଡେନ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ୧୨୬.୦୮ କୋଟିର ଟେଣ୍ଡର ଆହ୍ୱାନ ହୋଇଛି। ଏହାକୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସ୍ୱାଗତ କରିବା ସହ ପ୍ରକଳ୍ପଟି ଅଞ୍ଚଳର ଚାଷୀ ଓ ଜଳସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ଆହ୍ୱାନ ହୋଇଥିବା ଟେଣ୍ଡର ଅନୁଯାୟୀ, ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୨୬.୦୮ କୋଟି ରହିଛି। ଇପିସି- ଟର୍ନକି ଭିତ୍ତିରେ ଏହାର ନିର୍ମାଣ କରାଯିବ ଏବଂ କାର୍ଯ୍ୟ ସମାପ୍ତି ପାଇଁ ୩୦ କ୍ୟାଲେଣ୍ଡର ମାସ ସମୟ ଧାର୍ଯ୍ୟ କରାଯାଇଛି। ଏଥିରେ ବର୍ଷା ଋତୁ ମଧ୍ୟ ସାମିଲ ରହିଛି। ପ୍ରକଳ୍ପ ମାଧ୍ୟମରେ ଭେଡେନ ନଦୀର ଜଳ ସଂରକ୍ଷଣ ସହ ଭୂତଳ ଜଳର ପୁନଃଭରଣ, ପାନୀୟଜଳ ଯୋଗାଣ ଏବଂ ଲିଫ୍ଟ ଓ ଫ୍ଲୋ ଇରିଗେସନକୁ ସହାୟତା ମିଳିବ। ବିଶେଷକରି ଗ୍ରୀଷ୍ମଦିନରେ ଜଳସଙ୍କଟ ହ୍ରାସ କରିବା ସହ କୃଷି କ୍ଷେତ୍ରକୁ ଜଳ ଯୋଗାଣରେ ଏହା ଉପଯୋଗୀ ହେବ ବୋଲି ଆଶା କରାଯାଉଛି।

ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, “ସମାସିଂହାରେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ ହେବା ଅଞ୍ଚଳବାସୀଙ୍କ ପାଇଁ ଖୁସିର ବିଷୟ। ଏହା ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ଗ୍ରୀଷ୍ମକାଳୀନ ଜଳସଙ୍କଟ ହ୍ରାସ ସହ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ।” ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଓ ଉଚ୍ଚମାନରେ ସମ୍ପାଦନ ହେଉଛି କି ନାହିଁ, ତାହା ଉପରେ ନଜର ରଖାଯିବ ବୋଲି ବିଧାୟକ କହିଛନ୍ତି। ଏଥିପାଇଁ ସେ ରାଜ୍ୟ ସରକାର ଓ ଜଳସମ୍ପଦ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

ଟେଣ୍ଡର ସର୍ତ୍ତ ଅନୁଯାୟୀ, ପ୍ରକଳ୍ପ ଚାଲୁ ହେବା ପରେ ୫ ବର୍ଷ କିମ୍ବା ୫ଟି ବନ୍ୟା ଋତୁ ମଧ୍ୟରୁ ଯେଉଁଟି ଅଧିକ, ସେହି ସମୟ ପର୍ଯ୍ୟନ୍ତ ଅପରେସନ୍ ଓ ମେଣ୍ଟେନାନ୍ସ (ଓ ଏଣ୍ଡ୍ ଏମ୍) ବ୍ୟବସ୍ଥା ମଧ୍ୟ ଠିକାର ଅଂଶ ରହିବ। ଏହି ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାର ଜଳସଂରକ୍ଷଣ, କୃଷି ବିକାଶ ଓ ଭବିଷ୍ୟତ ଜଳ ପରିଚାଳନା କ୍ଷେତ୍ରରେ ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande