
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମଙ୍ଗଳବାର ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରେ ଇଣ୍ଡିଆ ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବନ୍ଦର ଚୂଡ଼ାନ୍ତ ପ୍ରସ୍ତୁତି, ଜିଲ୍ଲା ଓ ବ୍ଲକ ସ୍ତରରେ ସମନ୍ୱୟ, ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ଏବଂ ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଛି ।
ବୈଠକରେ କଂଗ୍ରେସ, ସି ପି ଆଇ, ସି ପି ଆଇ (ଏମ୍) ସି ପି ଆଇ(ଏମ୍ ଏଲ)ଲିବରେସନ, ଫରୱାର୍ଡ ବ୍ଲକ,ଏନ୍ ସି ପି (ଶରଦ ପୱାର), ସମାଜବାଦୀ ପାର୍ଟି, ଆର୍ ଜେ ଡି ଏବଂ ଜେ ଏମ୍ ଏମ୍ ସମେତ ଇଣ୍ଡିଆ ବ୍ଲକର ଅଂଶୀଦାର ଦଳଗୁଡ଼ିକର ନେତୃବୃନ୍ଦ ଯୋଗଦେଇଥିଲେ।
ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ ସମ୍ପୂର୍ଣ୍ଣ ରଦ୍ଦ କରିବା,ନିର୍ବାଚନ କମିଶନର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ,ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଏବଂ ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ତୁରନ୍ତ ଓ ପର୍ଯ୍ୟାପ୍ତ ରିଲିଫ୍ ଏବଂ ପୁନର୍ବାସ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି।
ବନ୍ଦ ସମୟରେ ବସ୍, ଟ୍ରକ୍, ଅଟୋ ସମେତ ସାଧାରଣ ପରିବହନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଦାଲତ,ବଜାର, ଦୋକାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ, ଦୁଧ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାକୁ ବନ୍ଦର ପରିସରରୁ ବାଦ ଦିଆଯିବ।
ଇଣ୍ଡିଆ ବ୍ଲକ ରାଜ୍ୟର ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳ, ଶ୍ରମିକ-କୃଷକ ସଂଗଠନ, ଛାତ୍ର-ଯୁବ ସଂଗଠନ, ଓକିଲ ସଂଘ,ବ୍ୟବସାୟୀ ସମୁଦାୟ ଓ ସାଧାରଣ ଜନତାଙ୍କୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରି ଗଣତାନ୍ତ୍ରିକ ପ୍ରତିବାଦକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଜଣାଇଛି।
ଏହି ବୈଠକ ରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ସି ପି ଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ରସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି ପି ଆଇ(ଏମ୍.ଏଲ)ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର,ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ଏନ୍ ସି ପି-(ଶରଦ ପୱାର), ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ,ଏସ ପି ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ,ଆର୍ ଜେ ଡି ସଧାରଣ ସମ୍ପାଦକ ହେମନ୍ତ କୁମାରସମେତ ଜୟନ୍ତ ଦାସ, ବଦ୍ରି ନାରାୟଣ ଦାଶ, ସିଦ୍ଧାର୍ଥ ସ୍ୱରୂପ ଦାସ ଓ ଅରବିନ୍ଦ ଦାସ ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା