

ପୁରୀ, ୬ ଅକ୍ଟୋବର (ହି.ସ.)- ସର୍ବଭରତୀୟ ଶ୍ରମିକ ସଂଗଠନ ଏ ଆଇ ଟି ୟୁ ସି ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ପଞ୍ଚମ ରାଜ୍ୟ ସମ୍ମିଳନୀ ଅକ୍ଟୋବର ୬ ତାରିଖରେ ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଆଇଟିୟୁସି ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ସମ୍ମିଳନୀକୁ ଉଦଘାଟନ କରି କହିଲେ, କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ କୋଡ଼ ଶ୍ରମିକ ଶ୍ରେଣୀକୁ ମାଲିକମାନଙ୍କ ପାଖରେ ଗୋତି ଶ୍ରମିକ କରିଦେବ। ଏବେ ଦେଶରେ ଖୁବ୍ କମ୍ ସରକାରୀ ନିଯୁକ୍ତି ମିଳୁଛି। ଉତ୍କଟ ବେକାରୀ ଓ ଦରଦାମ ବୃଦ୍ଧିରେ ଦେଶ ସଢୁଛି। ଦେଶର କଳକାରଖାନା, ଖଣି ଖାଦାନ ଓ ସରକାରୀ ବ୍ଯବସାୟ ସଂସ୍ଥାଗୁଡ଼ିକୁ ଶାଗମାଛ ଦରରେ ଆଦାନୀ ଅମ୍ବାନୀ ଭଳି ପୁଞ୍ଜିପତିଙ୍କୁ ବିକ୍ରୀ କରିଦିଆ ଚାଲିଛି। ଧର୍ମ ନାମରେ ବିଭେଦ ଓ ଘୃଣା ଦେଶର ଏକତା ଓ ଭାଇଚାରା ପ୍ରତି ବିପଦ ସୃଷ୍ଟି କରୁଛି। ଦେଶର ଶାସନ ବ୍ୟବସ୍ଥାର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ଆଜି ଶ୍ରମିକ ଶ୍ରେଣୀ ଦଳମତ ନିର୍ବିଶେଷରେ ପରିବର୍ତ୍ତନ ପାଇଁ ଗୋଟିଏ ମଞ୍ଚରେ ଲଢେ଼ଇ କରିବାର ବେଳ ଉପସ୍ଥିତ ହୋଇଛି। ସଂଘର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ସମ୍ମିଳନୀର ରିପୋର୍ଟ ଉପସ୍ଥାପନ କରିଥିଲେ।
ଗୌରାଙ୍ଗ ପାଣିଗ୍ରାହିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମିଳନୀରେ ନିର୍ମାଣ ଶ୍ରମିକଙ୍କୁ ୬୦ ବର୍ଷରେ ମାସିକ ୧୦ ହଜାର ପେନସନ, ମୃତ୍ୟୁକାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା, ବିବାହ ସହାୟତା ଏକଲକ୍ଷ ଟଙ୍କା, ସମସ୍ତଙ୍କୁ ଘର, ପ୍ରଭୃତି ଦାବୀ କରାଯାଇଥିଲା। ସମ୍ମିଳନୀରେ ରାମକୃଷ୍ଣ ପଣ୍ଡା - ସଭାପତି, ମହେଶ୍ୱର ରାଉତ - କାର୍ଯ୍ୟକାରୀ ସଭାପତି, ପ୍ରଶାନ୍ତ ପାଟଯୋଶୀ - ଉପଦେଷ୍ଟା,ବ୍ରଜବନ୍ଧୁ ପ୍ରଧାନ - ସାଧାରଣ ସମ୍ପାଦକ, ଗୌରାଙ୍ଗ ପାଣିଗ୍ରାହି, ଜିନ୍ମୟୀ ସାହାଣୀ, ବାବାଜୀ ଧଳ - ଉପସଭାପତି, ଏନ୍ ଗୋପାଳ, ପ୍ରଦୀପ ସେଠୀ - ସମ୍ପାଦକ ଓ ସିମାଞ୍ଚଳ ବାରିକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ