
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି ମଙ୍ଗଳବାର ପୂର୍ବାହ୍ନରେ କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୧ତମ ବୃତିଗତ ପ୍ରତିଯୋଗିତା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତିଗତ ପ୍ରତିଯୋଗିତାରେ ରାଜ୍ୟର ୩୯ ଟି ପୋଲିସ ୟୁନିଟରୁ ୩୧୯ ଜଣ ପ୍ରତିଯୋଗୀ, ୪୫ ଶ୍ୱାନ, ୪୫ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି । ୪୪ ଜଣ ଇନ୍ସପେକ୍ଟର, ୫୨ ଜଣ ଏସ.ଆଇ, ୫୪ ଜଣ ଏ.ଏସ.ଆଇ, ୧୭ ଜଣ ହାବିଲଦାର, ୧୫୨ ଜଣ କନଷ୍ଟେବଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।
ଏହି ଅବସରରେ ଡ଼ିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ଅପରାଧ ନିରାକରଣ, ସଠିକ୍ ତଦନ୍ତ ଏବଂ ଆଇନର ଶାସନ ସୁନିଶ୍ଚିତ କରିବା ପୋଲିସର ମୁଖ୍ୟ ଦାୟିତ୍ୱ। ଆଧୁନିକ ଅପରାଧର ପରିବତର୍ତ୍ତିତ ସ୍ୱରୂପକୁ ଦୃଷ୍ଟିରେ ରଖି ସାଇବର ଅପରାଧ, ଅନଲାଇନ୍ ଠକେଇ, ନାରୀ ଓ ଶିଶୁଙ୍କ ବିରୋଧରେ ଅପରାଧ ଭଳି ନୂଆ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କ ବୃତିଗତ ଦକ୍ଷତା, ବୈଜ୍ଞାନିକ ଜ୍ଞାନ ଓ ପ୍ରଯୁକ୍ତିଗତ କୌଶଳକୁ ନିରନ୍ତର ଉନ୍ନତ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା ପରେ ବୈଜ୍ଞାନିକ ତଦନ୍ତ, ଫରେନସିକ୍ ପ୍ରମାଣ ଓ ଡିଜିଟାଲ୍ ପ୍ରମାଣର ସଠିକ୍ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଡିଜିପି କହିଥିଲେ। ଏହି ଡ୍ୟୁଟି ମିଟ୍ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତାକୁ ପରଖିବା ସହ ପରସ୍ପରଠାରୁ ଶିଖିବାର ଏକ ଉତମ ମଂଚ ବୋଲି ଡିଜିପି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।
ଓଡ଼ିଶା ପୋଲିସ ଗତ କିଛି ବର୍ଷ ମଧ୍ୟରେ ସଂଗଠିତ ଅପରାଧ, ଉଗ୍ରବାଦ, ନିଶାଦ୍ରବ୍ୟ ଚୋରାଚାଲାଣ, ଅବୈଧ ଅସ୍ତ୍ର କାରବାର ଓ ମାନବ ଚାଲାଣ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛି ବୋଲି ଡିଜିପି କହିଥିଲେ। ପୋକ୍ସୋ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ମାମଲାରେ ଦ୍ରୁତ ତଦନ୍ତ ଓ ଦୋଷୀ ସାବ୍ୟସ୍ତ କରାଇବା ଦିଗରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ନିକଟରେ ଝାରସୁଗୁଡ଼ାର ଏକ ଚୋରି ମାମଲାରେ ମାତ୍ର ୧୭ ଦିନ ମଧ୍ୟରେ ଦୋଷୀ ସାବ୍ୟସ୍ତ ହେବା ଏହାର ଏକ ଉଦାହରଣ ବୋଲି ସେ କହିବା ସହ ଝାରସୁଗୁଡ଼ା ଏସ୍ପି ଓ ତାଙ୍କ ଟିମ୍ କୁ ଅଭିନନ୍ଦନ ଜଣାଇଥିଲେ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଚୟନ କରାଯାଇ ଆଗାମୀ ଅଲ୍ ଇଣ୍ଡଡିଆ ପୋଲିସ୍ ଡ୍ୟୁଟି ମିଟ୍ ପାଇଁ ଓଡ଼ିଶା ପୋଲିସର ଦଳ ଗଠନ କରାଯିବ। ଏହି ଅବସରରେ ଡିଜିପି ସମସ୍ତ ପ୍ରତିଯୋଗୀଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପରସ୍ପରଠାରୁ ଶିଖି ଓଡ଼ିଶା ପୋଲିସର ଗୌରବ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।
ନାଗରିକଙ୍କ ସୁରକ୍ଷା, ମହିଳା ଓ ଶିଶୁଙ୍କ ସୁରକ୍ଷା, ସାମ୍ପ୍ରଦାୟିକ ସୌହାର୍ଦ୍ଦ ବଜାୟ ରଖିବା ଏବଂ ହିଂସା ରୋକିବା ପୋଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଡିଜିପି କହିଥିଲେ। ଜନସାଧାରଣଙ୍କ ଆସ୍ଥା ହେଉଛି ପୋଲିସର ସବୁଠାରୁ ବଡ଼ ଶକ୍ତି ଏବଂ ସତ୍ୟ, ନ୍ୟାୟ, ସମ୍ବେଦନଶୀଳତା ଓ ନିଷ୍ଠାର ସହିତ ପୋଲିସ କର୍ମଚାରୀମାନେ ଜନସେବା ଜାରି ରଖିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆଇଜିପି, କ୍ରାଇମବ୍ରାଂଚ ଡ଼ଃ ସାର୍ଥକ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଡ଼ଃ ସାର୍ଥକ ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡି.ଆଇ.ଜି, କ୍ରାଇମବ୍ରାଂଚ, ଶ୍ରୀ ମଡ଼କର ସନ୍ଦୀପ ସମ୍ପଦ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା