
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟର ପ୍ରଯୁକ୍ତିନିର୍ଭର ଯାତାୟାତ ପ୍ଲାଟଫର୍ମ ‘ଓଡ଼ିଶା ଯାତ୍ରୀ’ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ୨୦୨୬ରେ ଏହାର ବିକଶିତ ମୋବିଲିଟି ଇକୋସିଷ୍ଟମ୍ ଏବଂ ନାଗରିକକୈନ୍ଦ୍ରିକ ଡିଜିଟାଲ୍ ପଦକ୍ଷେପ ପ୍ରଦର୍ଶନ କରିବ। ‘ଅର୍ବାନ୍ ଆକ୍ସେସିବିଲିଟି ଆଣ୍ଡ୍ ଲାଇଭାବିଲିଟି ଇନ୍ ଦି ଡିଜିଟାଲ୍ ଏଜ୍’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହେବ।
ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ଆୟୋଜନ କରିବାରେ ଓଡ଼ିଶା ପୂର୍ବ ଭାରତର ପ୍ରଥମ ରାଜ୍ୟ ହେବ। ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟର ଏହି ବାର୍ଷିକ ପ୍ରମୁଖ ସମ୍ମିଳନୀ ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ, ପେଶାଦାର ଏବଂ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ଜ୍ଞାନ ବିନିମୟ, ଶ୍ରେଷ୍ଠ ପଦକ୍ଷେପର ଆଦାନପ୍ରଦାନ ଏବଂ ସ୍ଥାୟୀ ସହରୀୟ ଯାତାୟାତ ପାଇଁ ନୂତନ ସମାଧାନ ଅନ୍ୱେଷଣର ସୁଯୋଗ ପ୍ରଦାନ କରିବ।
ପ୍ରଯୁକ୍ତିନିର୍ଭର ନାଗରିକ ସୁରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଖୁଂଟ ସ୍ଥାପନ କରି ଓଡ଼ିଶା ‘ଓଡ଼ିଶା ଯାତ୍ରୀ’ରେ ସେଫ୍ଟି ମଡ୍ୟୁଲ୍ ଆରମ୍ଭ କରିଛି। ଏହା ମାଧ୍ୟମରେ ଏକକ ରାଜ୍ୟ ମାଲିକାନାଧୀନ ପ୍ଲାଟଫର୍ମରେ ଯାତାୟାତ ଓ ନାଗରିକ ସୁରକ୍ଷା ସେବାକୁ ଏକତ୍ର କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ପଦକ୍ଷେପରେ ଓଡ଼ିଶା ପୁଲିସ ଏବଂ ଜାତୀୟ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ୧୧୨ ସହିତ ସମନ୍ୱୟ ସ୍ଥାପନ କରାଯାଇଛି।
ସେଫ୍ଟି ମଡ୍ୟୁଲ୍ ଉଭୟ ଆଓଏସ୍ ଓ ଆଣ୍ଡରଏଡ୍ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ଏଥିରେ ସେକ୍ ଟୁ ଆଲର୍ଟ , ଆଲାର୍ମ, ଲୋକେସନ୍ ସେୟାରିଂ ଏବଂ ଜରୁରୀକାଳୀନ ସମ୍ପର୍କ ସୁବିଧା ସମେତ ୧୧ଟି ସୁରକ୍ଷା ବୈଶିଷ୍ଟ୍ୟ ସମନ୍ୱିତ ହୋଇଛି। ୱାନ - ଟାପ୍ ଏସଓଏସ୍ ସୁବିଧା ମାଧ୍ୟମରେ ବ୍ୟବହାରକାରୀ ସିଧାସଳଖ ଜାତୀୟ ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨ ସହିତ ଯୋଗାଯୋଗ କରିପାରିବେ। ଏପର୍ଯ୍ୟନ୍ତ ପ୍ରାୟ ୧.୮୬ ଲକ୍ଷ ବ୍ୟବହାରକାରୀଙ୍କ ନିକଟରେ ସେଫ୍ଟି ମଡ୍ୟୁଲ୍ ପହଂଚିପାରିଛି।
ମୋବିଲିଟି ସେବା କ୍ଷେତ୍ରରେ ମଧ୍ୟ ‘ଓଡ଼ିଶା ଯାତ୍ରୀ’ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ପ୍ଲାଟଫର୍ମ ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ୬.୩୪ ଲକ୍ଷ ପଞ୍ଜୀକୃତ ବ୍ୟବହାରକାରୀ ଏବଂ ୧୮.୬ ହଜାର ସକ୍ରିୟ ଡ୍ରାଇଭର ୫ଟି ସହରରେ ଏହି ପ୍ଲାଟଫର୍ମ ସହିତ ଯୋଡ଼ି ହୋଇଛନ୍ତି। ଡ୍ରାଇଭରମାନଙ୍କ ଆୟ କ୍ଷେତ୍ରରେ ମଧ୍ୟ ‘ଓଡ଼ିଶା ଯାତ୍ରୀ’ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ପ୍ଲାଟଫର୍ମ ମାଧ୍ୟମରେ ଡ୍ରାଇଭରମାନେ ମୋଟ ୧୫.୫ କୋଟି ଆୟ କରିଛନ୍ତି। ୧୦୦ ପ୍ରତିଶତ ପାସ୍-ଥ୍ରୁ ମଡେଲ୍ ଅନୁସାରେ ଯାତ୍ରୀଙ୍କ ଦେୟର ସମ୍ପୂର୍ଣ୍ଣ ରାଶି ଡ୍ରାଇଭରମାନଙ୍କ ନିକଟରେ ପହଂଚୁଥିବା ବେଳେ କୌଣସି କମିଶନ୍ ରଖାଯାଉନାହିଁ।
ଜାନୁଆରୀ ୨୦୨୬ରେ ‘ଓଡ଼ିଶା ଯାତ୍ରୀ’ ସର୍ବୋଚ୍ଚ ମାସିକ ପ୍ରଦର୍ଶନ ରେକର୍ଡ କରିଥିଲା। ଏହି ମାସରେ ୩.୨୮ ଲକ୍ଷ ରାଇଡ୍ ସର୍ଚ୍ଚ ମଧ୍ୟରୁ ୬୦ ହଜାର ଯାତ୍ରା ସମ୍ପନ୍ନ ହୋଇଥିଲା।
ଅର୍ବାନ୍ ମୋବିଲିଟି ଇଣ୍ଡିଆ ୨୦୨୬ ଆୟୋଜନ ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଅଂଶୀଦାର, ବିଶେଷଜ୍ଞ ଏବଂ ପ୍ରତିନିଧିମାନଙ୍କ ସମ୍ମୁଖରେ ଏହାର ଉଦୀୟମାନ ମୋବିଲିଟି ସମାଧାନଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ଦେଉଛି। ‘ଓଡ଼ିଶା ଯାତ୍ରୀ’ର ଅଂଶଗ୍ରହଣ ମାଧ୍ୟମରେ ଡିଜିଟାଲ୍ ପ୍ରଯୁକ୍ତି, ନବସୃଜନ ଏବଂ ନାଗରିକକୈନ୍ଦ୍ରିକ ସେବା କିପରି ଅଧିକ ସୁରକ୍ଷିତ, ସୁଗମ, ସମାବେଶୀ ଓ ଜୀବନଯୋଗ୍ୟ ସହର ଗଠନରେ ସହାୟକ ହୋଇପାରେ, ତାହା ପ୍ରଦର୍ଶିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା