
ଚମ୍ପୁଆ, ୬ ଅକ୍ଟୋବର (ହି.ସ.)- ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ା ଜଗତରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପାରୁଡ଼ି ପଶି ମିନି ଷ୍ଟାଡିୟମ୍ ପରିସରରେ ଗ୍ରାମର ପ୍ରଥମ ବାର୍ଷିକ ଏକଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଅତ୍ୟନ୍ତ ଆନନ୍ଦୋଲ୍ଲାସ ଓ ବେଶ୍ ଆକର୍ଷଣୀୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ଆଖପାଖ ଅଞ୍ଚଳରୁ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରି ସେମାନଙ୍କର ଖେଳ କୌଶଳ ପ୍ରଦର୍ଶନ କରିଥିଲେ। ଦର୍ଶକଙ୍କ ପ୍ରବଳ ଭିଡ଼ ଓ କରତାଳିରେ ସମଗ୍ର ଷ୍ଟାଡିୟମ୍ କମ୍ପି ଉଠିଥିଲା। ପ୍ରତିଯୋଗିତାର ଉଦ୍ଘାଟନୀ ତଥା ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସେନା ଅଧିକାରୀ ଯଦୁମଣି ମାଝି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମଙ୍ଗୁଳୁ ମାଝୀ, ମିତ୍ରଭାନୁ ବେହେରା, ପ୍ରତାପ ବେହେରା ଏବଂ ଗୌରାଙ୍ଗ ବେହେରା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରୋମାଞ୍ଚକର ମ୍ୟାଚ୍ ଗୁଡ଼ିକୁ ଅତି ସୂଚାରୁ ଏବଂ ନିରପେକ୍ଷ ଭାବେ ପରିଚାଳନା କରିଥିଲେ ପୂର୍ବତନ ସୁନାମଧନ୍ୟ ତଥା ଲୋକପ୍ରିୟ ଖେଳାଳି ନାରାୟଣ ମାଝି ଏବଂ ଜୁନିଅର୍ ଲବ-କୁଶ। ଏହି ସଫଳ ଆୟୋଜନକୁ କମିଟିର ମୁଖ୍ୟ ଦକ୍ଷଦତ ବେହେରା, ସ୍ୱପ୍ନ ସାଗର ବେହେରା, ସୁଜିତ୍ କୁମାର ବେହେରା, ସଂଜିତ୍ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସମସ୍ତ ଯୁବକ ଏବଂ ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗ ରହିଥିଲା।
ଦିନବ୍ୟାପୀ ଚାଲିଥିବା ଏହି ମ୍ୟାଚ୍ ର ଚୂଡ଼ାନ୍ତ ପର୍ଯ୍ୟାୟରେ ବି.ପି. ସ୍ପୋର୍ଟିଙ୍ଗ୍ ପାରୁଡ଼ି ପଶି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଜା ମେରେ ବୁଲ୍ ବୁଲ୍ ବର୍ଦ୍ଧନା, ତୃତୀୟ ସ୍ଥାନରେ ଜେ.କେ. ସ୍ପୋର୍ଟିଙ୍ଗ୍ ଖୁଣ୍ଟା ପଡ଼ା, ଚତୁର୍ଥ ସ୍ଥାନରେ ଟୁକୁଡ଼ିହ ରହିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ଓ ବିଜେତା ଦଳ ଗୁଡ଼ିକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଖେଳ କାର୍ଯ୍ୟକ୍ରମ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଏକ ନୂତନ ଉତ୍ସାହ ସୃଷ୍ଟି କରିପାରିଥିବା କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta