
ଜୟପୁର, ୬ ଅକ୍ଟୋବର (ହି.ସ.)- ଭତ୍ତା ପାଇଁ ବିଡ଼ିଓଙ୍କ ବାରଣ୍ଡାରେ ବସିଲେ ଶତାଧିକ ହିତାଧିକାରୀ l ଭିନ୍ନକ୍ଷମ, ବୟସ୍କ ଏବଂ ବିଧବା ହିତାଧିକାରୀ ମାନେ ଗତ ପାଞ୍ଚ ମାସ ହେବ ଭତ୍ତା ପାଇନାହାନ୍ତି l ଏଭଳି ଘଟଣା ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରକୋଷ୍ଠ ସମ୍ମୁଖନରେ୨୦ଟି ପଂଚାୟତର ଶତାଧିକ ହିତାଧିକାରୀ ଧାରଣାରେ ବସିଛନ୍ତି l ଭତ୍ତା ନ ମିଳିଲା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଏହି ଆନ୍ଦାଳନକୁ ସମର୍ଥନ ଜଣାଇ ହିତାଧିକାରୀଙ୍କ ସହ ନିଜେ ଧାରଣାରେ ବସିଛନ୍ତି ବ୍ଲକ ଉପାଧ୍ୟକ୍ଷା ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ l ଭତ୍ତା ହିଁ ଥିଲା ବଞ୍ଚିବାର ଭରସା..କିନ୍ତୁ ଦୀର୍ଘ ୫ ମାସ ହେଲା ମିଳୁନି ଭତ୍ତା। ଟଙ୍କା ପାଇଁ ବାରମ୍ବାର କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଶେଷରେ ବିଡିଓଙ୍କ ବାରଣ୍ଡାରେ ବସିବାକୁ ବାଧ୍ୟ ହୋଇଛନ୍ତି ଭିନ୍ନକ୍ଷମ, ବୟସ୍କ ଓ ବିଧବା ହିତାଧିକାରୀ। ଏଭଳି ଦୁଃଖଦ ଚିତ୍ର କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରୁ ସାମ୍ନାକୁ ଆସିଛି।ଏ ଦୃଶ୍ୟ ଦେଖିଲେ ଯେକେହି ବି ବିଚଳିତ ହୋଇଯିବ।କାହାର ହାତରେ ଲାଠି, କାହାର ଆଖିରେ ବୟସର ଛାପ, ଆଉ କେହି ଭିନ୍ନକ୍ଷମ ହୋଇ ଚାଲିବାକୁ ମଧ୍ୟ ଅସମର୍ଥ। ହେଲେ ସମସ୍ତଙ୍କ ଦୁଃଖ ଗୋଟିଏ—ମିଳୁନି ଭତ୍ତା। ଗତ ୫ ମାସ ହେବ ଭତ୍ତା ନପାଇ ଆର୍ଥିକ ଅସୁବିଧାରେ ଦିନ କାଟୁଛନ୍ତି ଶତାଧିକ ହିତାଧିକାରୀ। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ୨୦ଟି ପଞ୍ଚାୟତରୁ ଆସିଛନ୍ତି ଶତାଧିକ ହିତାଧିକାରୀ। ଭିନ୍ନକ୍ଷମ, ବୟସ୍କ ଏବଂ ବିଧବା ହିତାଧିକାରୀମାନେ ନିଜର ବକେୟା ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।କିନ୍ତୁ। ଭତ୍ତା ଟଙ୍କାରେ କାହାର ଚଳେ ଘର, କାହାର ଚାଲେ ଔଷଧ, ଆଉ କାହା ପାଇଁ ଏହି ଟଙ୍କା ହିଁ ଦୁଇ ଓଳି ଖାଇବାର ଏକମାତ୍ର ଆଶା। ଏଭଳି ସ୍ଥିତିରେ ଲଗାତାର ୫ ମାସ ଧରି ଭତ୍ତା ନମିଳିବା ହିତାଧିକାରୀଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।“ଆମେ ଗରିବ ଲୋକ। ଭତ୍ତା ଟଙ୍କା ଉପରେ ନିର୍ଭର କରୁଛୁ। ୫ ମାସ ହେଲା ଟଙ୍କା ମିଳୁନି। ହିତାଧିକାରୀଙ୍କ ଏହି ଧାରଣାକୁ ସମର୍ଥନ ଜଣାଇଛନ୍ତି ବ୍ଲକ ଉପାଧ୍ୟକ୍ଷା ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷା। ହିତାଧିକାରୀଙ୍କ ସହ ଧାରଣାରେ ବସି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି।ସରକାରୀ ଯୋଜନାର ଲାଭ ଯେଉଁମାନଙ୍କ ପାଇଁ, ସେମାନଙ୍କୁ ହିଁ ଯଦି ମାସ ମାସ ଧରି ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼େ, ତେବେ ଏହାଠାରୁ ବଡ଼ ଦୁଃଖର କଥା ଆଉ କ’ଣ ହୋଇପାରେ lବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ବାରଣ୍ଡାରେ ବସିଥିବା ଏହି ବୟସ୍କ, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀଙ୍କ ଆଖିରେ ଏବେ କେବଳ ଗୋଟିଏ ପ୍ରଶ୍ନ—କେବେ ମିଳିବ ତାଙ୍କର ବକେୟା ଭତ୍ତା ?ପ୍ରଶାସନ ଏହି ଅସହାୟ ହିତାଧିକାରୀଙ୍କ ଦୁଃଖକୁ କେବେ ବୁଝିବ ଏବଂ କେବେ ମିଳିବ ବକେୟା ଭତ୍ତା—ତାହା ଉପରେ ଏବେ ସମସ୍ତଙ୍କ ନଜର। ତେଣୁ ରାଜ୍ୟ ସରକାର ଗରିବ, ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି l
ହିନ୍ଦୁସ୍ଥାନ ସମାଚାର / ପିକେପି