
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଆଜି ଧୂଷୁରୀ ବିଜ୍ଞାପିତ ଅଂଚଳ ଅନ୍ତର୍ଗତ ଓଲଟପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।ମୃତ ମହିଳା ହେଲେ ମୃତକ ହେଲେ ପ୍ରମିଳା ଚୁହାଣ(୬୧)। ଓଲଟପୁର ଗ୍ରାମର ରବିନ୍ଦ୍ର ଚୁହାଣଙ୍କ ପତ୍ନୀ ପ୍ରମିଳା ଆଜି ଭୋର ପ୍ରାୟ ୫ଟା ବେଳେ ଠାକୁରଙ୍କ ବାସନକୁସନ ଧୋଇ ସାରି ଫୁଲ ତୋଳିବା ପାଇଁ ଯିବା ସମୟରେ ତାଙ୍କୁ ଘର ଭିତରେ ଏକ ସାପ କାମୁଡ଼ିଥିଲା।ଏହି ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଧୂଷୁରୀ ଏରିଆ ହସ୍ପିଟାଲକୁ ନେଇଥିଲେ।କିନ୍ତୁ ସେଠାରେ ଡାକ୍ତର ନଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପ୍ରମିଳାଙ୍କ ମୃତ୍ୟୁ ସାପ କାମୁଡ଼ାରେ ହୋଇଥିବା ଜଣାପଡ଼ିବା ପରେ ଘର ଭିତରେ ଥିବା ସାପକୁ ଧରିବା ପାଇଁ ସାପ ଧରାଳି ସେକ ମିର୍ଜାଙ୍କୁ ଡକାଯାଇଥିଲା।ସେକ ମିର୍ଜା ଘର ଭିତରୁ ଏକ ନାଗ ସାପ ଉଦ୍ଧାର କରିଥିଲେ।ଏନେଇ ଧୂଷୁରୀ ପୁଲିସ ଏକ ଅପମୃତ୍ୟୁ ମାମଲା ନଂ-୩୦/୨୬ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ