କେନ୍ଦୁଝରରେ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିତ ୩୦ ଜିଲ୍ଲାରୁ ଯୋଗଦେଲେ ପ୍ରାୟ ୧୦୦୦ କ୍ରୀଡ଼ାବିତ୍
କେନ୍ଦୁଝର, ୦୬ ଅକ୍ଟୋବର (ହି.ସ.) - କେନ୍ଦୁଝର ସହରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ଦୌଡ଼କୁଦ ପ୍ରତିଯୋଗିତା ୨୦୨୬-୨୭ ମଙ୍ଗଳବାର ଉଦଯାପିତ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୧୦୦୦ ଜଣ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜର କ୍ରୀଡ଼ା
State


କେନ୍ଦୁଝର, ୦୬ ଅକ୍ଟୋବର (ହି.ସ.) - କେନ୍ଦୁଝର ସହରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ଦୌଡ଼କୁଦ ପ୍ରତିଯୋଗିତା ୨୦୨୬-୨୭ ମଙ୍ଗଳବାର ଉଦଯାପିତ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୧୦୦୦ ଜଣ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଣ୍ଡର-୧୪ ଓ ଅଣ୍ଡର-୧୭ ବର୍ଗର ବାଳକ ଏବଂ ବାଳିକା କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଏହି ପ୍ରତିଯୋଗିତା ନିଜର ପ୍ରତିଭା ପ୍ରଦର୍ଶନର ଏକ ବଡ଼ ମଂଚ ପାଲଟିଥିଲା। ବିଭିନ୍ନ ଇଭେଂଟରେ ଖେଳାଳିଙ୍କ ରୋମାଂଚକର ପ୍ରଦର୍ଶନ ଦର୍ଶକ, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

ଉଦଯାପନୀ ଉତ୍ସବରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଜିଲ୍ଲା ମୁନିସିପାଲ୍ କର୍ପୋରେସନ୍ ଅଧ୍ୟକ୍ଷା ଶ୍ରୀମତୀ ମମତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଓଡ଼ିଶାର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା, ଅବସରପ୍ରାପ୍ତ ଅତିରିକ୍ତ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପ୍ରକାଶ ଯୋଶୀ ଯୋଗଦେଇଥିଲେ।

ଏହି ଅବସରରେ ସମାଜସେବୀ ଅନୁବ୍ରତ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୋରଜ ମଳିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ, ସତ୍ୟନାରାୟଣ ମହାନ୍ତ, ସଦର ବିଇଓ ଓମକାର ଅନ୍ୱେଷ, ଅତିରିକ୍ତ ବିଇଓ କପିଳଚନ୍ଦ୍ର ଦାସ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଆମନ୍ତ, ପଳାସପଙ୍ଗା ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ, ନ.ସ. ପୋଲିସ ହାଇସ୍କୁଲର ପ୍ରଧାନଶିକ୍ଷକ ବେଳା ରାଉତ, ଜିଲ୍ଲା ଯୁଗ୍ମ ସମ୍ପାଦକ ରେଡକ୍ରସ୍ ଏ.ଆର. ଖାନ୍ ଓ ଓଷ୍ଟାର ମନ୍ମଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଯୋଗିତାରେ ଅଣ୍ଡର-୧୭ ବାଳକ ବିଭାଗରେ କେନ୍ଦୁଝର ଏବଂ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିଅନ୍ ହୋଇଥିବାବେଳେ ଅଣ୍ଡର-୧୪ ବାଳକ ବିଭାଗରେ କେନ୍ଦୁଝର ଓ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିଅନ୍ ହୋଇଛନ୍ତି।

ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା କୃତୀ କ୍ରୀଡ଼ାବିତ୍ମାନଙ୍କୁ ଉଦଯାପନୀ ଉତ୍ସବରେ ମେଡାଲ୍ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗର ସୁଚାରୁ ପରିଚାଳନା ଓ ସମସ୍ତଙ୍କ ସହଯୋଗରେ ପ୍ରତିଯୋଗିତାଟି ସଫଳତାର ସହ ଶେଷ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande