
ଝାରସୁଗୁଡ଼ା, ୬ ଅକ୍ଟୋବର (ହି.ସ.)- ଓଡ଼ିଶାର ସାଂସ୍କୃତିକ ପରମ୍ପରା ସହ ଗଭୀର ଭାବେ ଜଡ଼ିତ ସବାଇ ଘାସ ବୁଣାକାମ ଦଶନ୍ଧି ଧରି ଗ୍ରାମୀଣ ଲୋକଙ୍କ ଜୀବିକାର ଏକ ମୁଖ୍ୟ ଆଧାର ହୋଇଆସିଛି | ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ସାମଗ୍ରୀର ଚାହିଦା ବଢ଼ୁଥିବା ବେଳେ ପାରମ୍ପରିକ କାରିଗରମାନେ ନୂଆ ଆର୍ଥିକ ସୁଯୋଗ ହାସଲ କରିବା ପାଇଁ ନୂତନ ପ୍ରକାରର ଉତ୍ପାଦ ଓ କୌଶଳ ଆପଣାଇବାର ସୁଯୋଗ ପାଉଛନ୍ତି । ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର କୁମୁଡ଼ାପାଲି ସବାଇ ପ୍ରଶିକ୍ଷଣ କେନ୍ଦ୍ରରେ ୬ ମାସିଆ ମୌଳିକ ସବାଇ ଘାସ ହସ୍ତଶିଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ୩୨ ଜଣ କାରିଗରଙ୍କୁ ସହାୟତା ପ୍ରଦାନ କରିଛି ।
ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୂକାରୀ ସି. ଚନ୍ଦ୍ର କହିଛନ୍ତି, ପାରମ୍ପରିକ ହସ୍ତଶିଳ୍ପ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଅବିଚ୍ଛେଦ୍ୟ ଅଂଶ। ଏହା ଗ୍ରାମୀଣ ସମୁଦାୟ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରେ | କାରିଗରମାନଙ୍କ ଦକ୍ଷତା ବୃଦ୍ଧି ସହ ବଜାର ସହ ସେମାନଙ୍କ ସଂଯୋଗକୁ ସୁଦୃଢ଼ କରିପାରିଲେ ପରିବର୍ତ୍ତିତ ଅର୍ଥନୀତିରେ ପାରମ୍ପରିକ ହସ୍ତଶିଳ୍ପକୁ ପ୍ରାସଙ୍ଗିକ ରଖିବା ସମ୍ଭବ ହେବ | ‘ବେଦକଳା' ପଦକ୍ଷେପ ଜରିଆରେ ସ୍ଥାନୀୟ ହସ୍ତଶିଳ୍ପ ପରମ୍ପରାର ସଂରକ୍ଷଣ ସହ କାରିଗରମାନଙ୍କୁ ସ୍ଥାୟୀ ଜୀବିକା ଗଢ଼ିବାରେ ସକ୍ଷମ କରିବା ପାଇଁ ଆମେ ପ୍ରତିବଦ୍ଧ | ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବେଦାନ୍ତ ଆଲୁମିନିୟମର ସମୁଦାୟ ବିକାଶ ପଦକ୍ଷେପ ‘ବେଦକଳା’ ଅଧୀନରେ ଆୟୋଜିତ ହୋଇଥିଲା। ଝାରସୁଗୁଡ଼ାରେ ସବାଇ ଘାସ ହସ୍ତଶିଳ୍ପ, ବାଉଁଶ ହସ୍ତଶିଳ୍ପ ଓ ସଉରା ଚିତ୍ରକଳା କ୍ଷେତ୍ରରେ ୧୭୫ରୁ ଅଧିକ କାରିଗରଙ୍କୁ ଏହି ପଦକ୍ଷେପ ସହ ଯୋଡ଼ାଯାଇଛି। କୁମୁଡ଼ାପାଲି ଗାଁର ସବାଇ ଘାସ ହସ୍ତଶିଳ୍ପ ପ୍ରଶିକ୍ଷଣର ଅଂଶଗ୍ରହଣକାରୀ ମୀନା ପିଙ୍ଗ କହିଛନ୍ତି, ସବାଇ ଘାସ ବୁଣାକାମ ପିଢ଼ି ପରେ ପିଢ଼ି ଆମ ଜୀବନର ଅଂଶ ହୋଇଆସିଛି। ଝାରସୁଗୁଡ଼ା ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ତଥା ଓଡ଼ିଶା ଜୀବିକା ମିଶନର ସର୍ମିଷ୍ଠା ପରିଚ୍ଛା କହିଛନ୍ତି, ସବାଇ ହସ୍ତଶିଳ୍ପର ଭବିଷ୍ୟତ କେବଳ ପାରମ୍ପରିକ ଦକ୍ଷତାର ସଂରକ୍ଷଣରେ ସୀମିତ ନୁହେଁ; କଞ୍ଚାମାଲର ଉପଲବ୍ଧତାଠାରୁ ଆରମ୍ଭ କରି ବଜାର ସୁଯୋଗ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ମଧ୍ୟ ଆବଶ୍ୟକ | କମ୍ପାନୀର ବ୍ୟାପକ ସମୁଦାୟ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଓ ଛତିଶଗଡ଼ର ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ