
ଝାରସୁଗୁଡ଼ା, ୦୬ ଅକ୍ଟୋବର (ହି.ସ.) ଭାରତୀୟ ମହିଳା ହକି ଦଳର ପ୍ରମୁଖ ଖେଳାଳି ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ତଥା ଓଡ଼ିଶା ମାଟି ପାଇଁ ଗୌରବ ଆଣିଥିବା ସୁନୀଲତା ଟପ୍ପୋଙ୍କୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର, ଝାରସୁଗୁଡ଼ା ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ନିଜ ମାଟିକୁ ଫେରିବା ଅବସରରେ ତାଙ୍କୁ ବିମାନବନ୍ଦରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କ ତରଫରୁ ବିମାନବନ୍ଦର ପ୍ରବନ୍ଧକ ପ୍ରତାପ କୁମାର ନାମ୍ବିଆର ସୁନୀଲତାଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସମ୍ମାନିତ କରିଥିଲେ। ସୁନୀଲତାଙ୍କ ଏହି ଐତିହାସିକ ସଫଳତା ସମଗ୍ର ଅଂଚଳ ତଥା ଉଦୀୟମାନ ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ଶ୍ରୀ ନାମ୍ବିଆର ପ୍ରକାଶ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ କ୍ରୀଡ଼ା ଜୀବନର ଉତରୋତର ଉନ୍ନତି କାମନା କରିଥିଲେ। ସୁନୀଲତା ମଧ୍ୟ ଏହି ଆତିଥ୍ୟ ଓ ଶୁଭେଚ୍ଛା ପାଇଁ ବିମାନବନ୍ଦର କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।
----------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ