
- ରାଜସ୍ୱ ମନ୍ତ୍ରୀ ଏବଂ ଓସଡମାର ବରିଷ୍ଠ ଅଧିକାରୀବୃନ୍ଦଙ୍କ ଗୁଜରାଟ ଗସ୍ତ
ଗାନ୍ଧୀନଗର/ଭୁଜ/ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଏବଂ ଜ୍ଞାନ ବିନିମୟ ସହ ପରସ୍ପର ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ତଥା ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଗୁଜରାଟ ଗସ୍ତ କରିଛନ୍ତି।
ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ସ୍ପେଶାଲ୍ ରିଲିଫ କମିଶନର ତଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା)ଙ୍କର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍ ଏବଂ ଓସଡମା)ର ବରିଷ୍ଠ ଅଧିକାରୀବୃନ୍ଦ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜିଆଇଡିଏମ୍ ପରିଦର୍ଶନ କରିବା ସହ ଭୁଜସ୍ଥିତ ସ୍ମୃତିବନ ଭୂମିକମ୍ପ ସ୍ମାରକୀ ଏବଂ ସଂଗ୍ରହାଳୟ ପରିଦର୍ଶନ କରି ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ପ୍ରାସଙ୍ଗିକ ଦିଗ ସମ୍ପର୍କରେ ଅନୁଭୂତି ଓ ଜ୍ଞାନ ଆହରଣ କରିଥିଲେ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କୁ ସାକ୍ଷାତ କରି ଉଭୟ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମତ ବିନିମୟ କରିଥିଲେ। ଏହାସହ ଗୁଜରାଟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟସିଂହ ବିଜୟସିଂହ ମହିଦା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଜୟନ୍ତୀ ଏସ୍. ରବି, ରିଲିଫ୍ କମିଶନର ଶ୍ରୀ ଗୌରାଙ୍ଗ ଏଚ୍. ମକୱାଣା, ଜିଏସଡିଏମଏର ସିଇଓ ତଥା ଜିଆଇଡିଏମ୍ ର ଡିଜି ଡଃ ଧବଲ ପଟେଲଙ୍କ ସମେତ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ଯ ଆଲୋଚନା କରାଯାଇଥିଲା।
ଆଲୋଚନାରେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶିକ୍ଷଣ, କ୍ଷମତା ବିକାଶ, ପ୍ରଯୁକ୍ତିର ବ୍ୟବହାର, ମକ୍ ଡ୍ରିଲ୍, ଜନସଚେତନତା ଏବଂ ବିପର୍ଯ୍ୟୟ ପରବର୍ତୀ ପୁନର୍ବାସ ଓ ପୁନର୍ନିର୍ମାଣ ଆଦି କ୍ଷେତ୍ରରେ ଉଭୟ ରାଜ୍ୟର ଅଭିଜ୍ଞତା ଏବଂ ଜ୍ଞାନ ବିନିମୟ ହୋଇଥିଲା।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଭୟ ରାଜ୍ୟର ସହଯୋଗକୁ ଏକ ନୂତନ ସ୍ତରକୁ ନେବା ପାଇଁ ପ୍ରଶିକ୍ଷଣ ଓ ଜ୍ଞାନ ବିନିମୟ ମାଧ୍ୟମରେ କ୍ଷମତା ବୃଦ୍ଧି, ଏବଂ ଯୁଗ୍ମ ଅଭ୍ୟାସ ( ଓ କର୍ମଶାଳା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଉଭୟ ରାଜ୍ୟର ବିପର୍ଯ୍ୟୟ ପ୍ରତିରୋଧ, ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା