
ମାଲକାନଗିରି, ୬ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପଞ୍ଚାୟତ ସମିତି ସ୍ତରରେ ସେବା ସେତୁ ଅଭିଯାନ ସହ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ଷାନି, ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା ଏବଂ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ଜନପ୍ରତିନିଧି ଓ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ୍ ପ୍ରଦର୍ଶିତ କରାଯାଇ ଜନସାଧାରଣଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯିବା ସହ ତୁରନ୍ତ ସେବା ଯୋଗାଇ ଦିଆଯାଇଥିଲା।
କାର୍ଯ୍ୟକ୍ରମ ଅବସର ବିଧାୟକ ଶ୍ରୀ ମାଡ଼କାମୀ କହିଛନ୍ତି, ସରକାର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ରହୁଥିବା ଭିନ୍ନକ୍ଷମ ଓ ଗରିବ ଶ୍ରେଣୀର ଲୋକଙ୍କୁ ସରକାରୀ ସୁବିଧା ତୁରନ୍ତ ଯୋଗାଇଦେବା ଏହି ସେବା ସେତୁ ଅଭିଯାନର ମୂଳ ଲକ୍ଷ୍ୟ।
ଏହି ଶିବିରରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ୩ଟି ବ୍ୟାଟେରୀ ଚାଳିତ ମୋଟର ସାଇକେଲ, ୧ଟି ଟି.ଏଲ.ଏମ କିଟ୍, ୧ଟି ଫୋଲ୍ଡିଂ ହୁଇଲ୍ ଚେୟାର, ୧ଟି ସୁଗମ୍ୟ ବାଡ଼ି ଏବଂ ୩ ହଳ ଡିଜିଟାଲ ପ୍ରୋଗ୍ରାମେବଲ୍ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି। ଏହା ସହିତ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତର୍ଗତ ଜଣେ ବିଧବା ହିତାଧିକାରୀଙ୍କୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଥିଲା।
ଶିବିରର ସଫଳତା ସମ୍ପର୍କରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି, ଲୋକଙ୍କୁ ପ୍ରଶାସନିକ ସେବା ପାଇଁ ଯେପରି ଅଯଥା ଦଉଡ଼ିବାକୁ ନପଡ଼େ, ସେଥିପାଇଁ ପ୍ରଶାସନ ସେମାନଙ୍କ ଦ୍ୱାରମୁହଁରେ ପହଞ୍ଚିଛି। ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ଏବଂ ସାମାଜିକ ସୁରକ୍ଷା ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ଆମର ପ୍ରାଥମିକତା। ପ୍ରଶାସନ ପକ୍ଷରୁ ଲୋକଙ୍କୁ ତୁରନ୍ତ ସୁବିଧା ଯୋଗାଇବା ପ୍ରୟାସରେ ୨୦ ଜଣଙ୍କୁ ଶ୍ରମିକ କାର୍ଡ ଏବଂ ୨ ଜଣଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି। ସେହିପରି ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବିତା ଏବଂ ଜୀବିକା ବିକାଶ ପାଇଁ ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫.୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ଏହାସହ କୃଷି ବିଭାଗର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଯୋଜନାରେ ୫ଟି ମହିଳା ଏସ.ଏଚ.ଜି ଗ୍ରୁପକୁ ଡାଲି ପ୍ରକ୍ରିୟାକରଣ ମିଲ୍ ଯୋଗାଇ ଦିଆଯାଇଛି। ଲୋକଙ୍କ ନିକଟରେ ସରକାରୀ ସେବାକୁ ସହଜରେ ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନର ଏହି ଲୋକାଭିମୁଖୀ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ