ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆଲୋଚନା
ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଗଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ
kuiiojhkl


ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଗଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଅଛି।

ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ।

ବୈଠକରେ ଆଗାମୀ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ, ଅଦ୍ୟତନ ଓ ତ୍ରୁଟିଶୂନ୍ୟ କରିବା ସହ ଯୋଗ୍ୟ ଭୋଟରମାନଙ୍କ ନାମ ତାଲିକାରେ ସଠିକ ଭାବେ ସ୍ଥାନ ପାଇବା ଏବଂ ଅଯୋଗ୍ୟ, ସ୍ଥାନାନ୍ତରିତ କିମ୍ବା ମୃତ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଯାଂଚ କରାଯିବ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ଏହି ଘରକୁ ଘର ସର୍ଭେ ପ୍ରକ୍ରିୟାରେ ସକ୍ରିୟ ଭାବେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି, ପ୍ରତ୍ୟେକ ରାଜନୈତିକ ଦଳ ନିଜର ବୁଥ୍ସ୍ତରୀୟ ଏଜେଂଟ (ବିଏଲଏ) ମାନଙ୍କୁ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ନିୟୋଜିତ କରିବା ସହ ସର୍ଭେ ସମୟରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି।

ସମସ୍ତ ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିଏଲଏ ଙ୍କ ତଥ୍ୟ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ ) ତଥା ଗ୍ରାମାଂଚଳ ପାଇଁ ବିଡିଓଙ୍କ ପାଖରେ ସହରାଂଚଳ(ଏନଏସି ଓ ମ୍ୟୁନିସିପାଲଟି ) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମହାନଗର ନିଗମ ପାଇଁ ଡେପୁଟି କମିଶନର /ଆସିଷ୍ଟାଂଟ କମିଶନର ଙ୍କ ପାଖରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି ।

ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ କହିଥିଲେ ଯେ, ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଏକ ସୁସ୍ଥ ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥାର ମୂଳ ଆଧାର। ତେଣୁ ଭୋଟର ତାଲିକା ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା, ନିରପେକ୍ଷତା ଓ ସମସ୍ତଙ୍କ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ। ରାଜନୈତିକ ଦଳଗୁଡ଼ିକର ସକ୍ରିୟ ସହଯୋଗ ଦ୍ୱାରା ଭୋଟର ତାଲିକାକୁ ଅଧିକ ବିଶ୍ୱସନୀୟ ଓ ତ୍ରୁଟିମୁକ୍ତ କରାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବୈଠକରେ ଘରକୁ ଘର ସର୍ଭେ ସମୟରେ ଭୋଟରମାନଙ୍କ ସହଯୋଗ, ସର୍ଭେ ଦଳଙ୍କ ଦ୍ୱାରା ତଥ୍ୟ ସଂଗ୍ରହ, ଭୋଟର ତାଲିକାରେ ନାମ ଯୋଗ, ବାଦ୍ ଓ ସଂଶୋଧନ ଭଳି ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ବାଦ୍ ନ ପଡ଼େ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ନ ହୁଏ, ସେଥିପାଇଁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସଚେତନ ଓ ସହଯୋଗୀ ଭୂମିକା ଗ୍ରହଣ କରିବାକୁ ଆୟୋଗ ପକ୍ଷରୁ ଆହ୍ୱାନ କରାଯାଇଛି।

ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେବା ସହ ଘରକୁ ଘର ସର୍ଭେ ପ୍ରକ୍ରିୟାରେ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସମଗ୍ର ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ସୁଚାରୁ ଭାବେ ସମ୍ପାଦନ କରାଯିବ। ଏଥିସହ ସମସ୍ତ ରାଜନୈତିକ ଦଳ, ପ୍ରଶାସନ ଓ ସାଧାରଣ ଭୋଟରଙ୍କ ସମନ୍ୱିତ ସହଯୋଗରେ ସ୍ୱଚ୍ଛ, ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛନ୍ତି।

ଏହି ବୈଠକରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢୀଙ୍କ ସମେତ ,ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ,ଉପ ସଚିବ ଦୁର୍ଗା ଚରଣ ମୁର୍ମୁ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande