
ଜୟପୁର, ୦୬ ଅକ୍ଟୋବର (ହି.ସ.) - ଆଳୁଚାଷୀଙ୍କୁ ମିଳୁନାହିଁ ଉପଯୁକ୍ତ ବିହନ । ଆଳୁ ଚାଷ ପାଇଁ କୋରାପୁଟ ଜିଲ୍ଲାର ଜଳବାୟୁ ଏବଂ ମାଟି ଅନୁକୂଳ କିନ୍ତୁ ବିହନ ମେଳୁ ନଥବାରୁ ଚାଷିମାନେ ଆଳୁ ଚାଷ କରିବାକୁ ମୁଙ ଫେରାଉଥିବା ଲକ୍ଷ୍ୟ କରାଯାଇଛି । ଉଭୟ ଖରିଫ ଏବଂ ରବି ଋତୁରେ ଚାଷ ପାଇଁ ପରିବେଶ ସୁହାଉଛି। ଚାହିଦା ସତ୍ୱେ କୋରାପୁଟ ଜିଲ୍ଲାରେ ଆଳୁ ଚାଷ ହୋଇପାରୁ ନାହିଁ । ଏଠାରେ ପ୍ରଚୁର ପରିମାଣରେ ଆଳୁ ଚାଷ ହୋଇଥିଲେ ଜିଲା ବାସୀ ଉପକୃତ ହୋଇ ପାରିଥାନ୍ତେ । କିନ୍ତୁ ଏଠାରେ ଉତ୍ପନ ନହେବାରୁ ବାହାର ରାଜ୍ୟର ଆଳୁକୁ ଚଢା ଦରରେ କ୍ରୟ କରିଛନ୍ତି । ଚାଷ ପରିମାଣ କମିବାରେ ଲାଗିଛି । ହ୍ରାସ ପାଇବା ପଛରେ ପ୍ରମୁଖ କାରଣ ଚାଷୀଙ୍କୁ ଆବଶ୍ୟକତା ଅନୁସାୟରେ ସହାୟତା ମିଳୁନଥିବା ସହ ବିହନ ମଧ୍ୟ ମେଳୁ ନଥିବା କୁହାଯାଉଛି । କୋରାପୁଟରେ ଖରିଫ ଆଳୁ ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଅମଳ ହୋଇଥାଏ ।
ଏହି ସମୟରେ ଛଟ୍ ପୂଜା ହେଉଥିବାରୁ ଛତିଶଗଡ଼, ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟରେ ନୂଆ ଆଳୁ ବ୍ୟବହାର କରିବାର ପରମ୍ପରା ରହିଛି । ତେଣୁ କୋରାପୁଟ ଆଳୁର ଚାହିଦା ବଢ଼ିଯାଏ। ରାଜ୍ୟ ବାହାର ବ୍ୟବସାୟୀ ଭଲ ଆଳୁ ବାଛିବା ପରେ ଭଲ ଦର ଦେଇ ଏଠାରୁ କିଣି ନେଉଛନ୍ତି । କିନ୍ତୁ ଚାଷୀଙ୍କ ଉପରେ ଏହାର କୌଣସି ଫରକ ପଡ଼ୁନଥିବାରୁ ଚାଷ ପରିମାଣ କମିବାରେ ଲାଗିଛି । ଗତବର୍ଷ କେବଳ ଉଦ୍ୟାନକୃଷି ବିଭାଗ ୩୧୫୦ ହେକ୍ଟର ଜମିରେ ଆଳୁ ଚାଷ କରିଥିଲା । ଚଳିତବର୍ଷ ଉଦ୍ୟାନ ବିଭାଗ ମାତ୍ର ୧୯୫୦ ହେକ୍ଟର ଜମିରେ ଚାଷ କରିଛି । ବିଭାଗ ପକ୍ଷରୁ କୋରାପୁଟ ବ୍ଲକରେ ୨୦୦ ହେକ୍ଟର, ଦଶମନ୍ତପୁର ବ୍ଲକରେ ୮୨.୬୭, ଲକ୍ଷ୍ମୀପୁର ବ୍ଲକରେ ୨୦, ପଟାଙ୍ଗି ବ୍ଲକରେ ୧୬୯, ସେମିଳିଗୁଡା ବ୍ଲକରେ ୩୯୨, ନନ୍ଦପୁର ବ୍ଲକରେ ୬୪୦, ଲମତାପୁଟ ବ୍ଲକରେ ୪୪୫ହେକ୍ଟର ଜମିରେ ଚାଷ କରାଯାଇଛି। ଏହାବ୍ୟତୀତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ପକ୍ଷରୁ ୩୦୦ ହେକ୍ଟର, ସିଆଇପି ପକ୍ଷରୁ ୮୦୦ ହେକ୍ଟର ଓ ଚାଷୀ ନିଜ ଉଦ୍ୟମରେ ପ୍ରାୟ ୩୦୦ ହେକ୍ଟର ଜମିରେ ଚାଷ କରିଛନ୍ତି । ପ୍ରତି ହେକ୍ଟରରେ ୧୨୦ରୁ ୧୭୦ କୁଇଂଟାଲ ପର୍ଯ୍ୟନ୍ତ ଆଳୁ ଉତ୍ପାଦନ ହେଉଛି । ଚଳିତବର୍ଷ ପ୍ରାୟ ୫୦ହଜାର ମେଟ୍ରିକ୍? ଟନ୍ ଉତ୍ପାଦନ ପାଇଁ ଉଦ୍ୟାନକୃଷି ବିଭାଗ ଲକ୍ଷ୍ୟ ରଖିଛି । ଜୁନ୍ ଦ୍ୱିତୀୟ ସପ୍ତାହରୁ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆଳୁ ବିହନ ବୁଣାଯାଏ । ବୁଣିବାର ପ୍ରାୟ ୯୦ଦିନ ପରେ ଅମଳ ହୋଇଥାଏ । ହେକ୍ଟର ପିଛା ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଉଦ୍ୟାନକୃଷି ବିଭାଗ ପ୍ରାୟ ୯୭ ହଜାର ଟଙ୍କା ରିହାତି ପ୍ରଦାନ କରୁଛି । ତେବେ ସବୁ ଚାଷୀଙ୍କୁ ଏହି ରିହାତି ମିଳୁନାହିଁ । ଫଳରେ ଚାଷ କରିବାକୁ ଚାଷୀ ଆଗ୍ରହ ଦେଖାଉନାହାନ୍ତି । ୨୦୧୯ ମସିହା ବେଳକୁ କୋରାପୁଟ ଜିଲ୍ଲାରେ ୫୦ ଏକର ଜମିରେ ଆଳୁ ଚାଷ ଆରମ୍ଭ ହଇଥିଲା । ଏଠାକାର ଚାଷୀଙ୍କ ନିକଟରେ ନିଜସ୍ୱ ବିହନ ନାହିଁ । ରିହାତିରେ ଯେଉଁ ବିହନ ମିଳୁଛି ତାହାର ମାନ ଭଲ ରହୁନି । ବିହନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଯୋଗୁଁ ଚାଷୀ ବିମୁଖ । ସରକାର ଏଥିପ୍ରତି
ଦୃଷ୍ଟି ଦେଲେ ଆଳୁ ଚାଷ କ୍ଷେତ୍ରରେ କୋରାପୁଟ ଅଗ୍ରଣୀ ହୋଇଯିବ ବୋଲି କହିଛନ୍ତି । ତେଣୁ ଚାଷୀଙ୍କୁ ଉପଯୁକ୍ତ ଆଳୁ ବିହନ ଯୋଗାଇଲେ ଆଳୁ ଉତ୍ପଦାନ ହେବା ସହ ରାଜ୍ୟକୁ ଆଳୁ ଆମଦାନି କରିବାକୁ ପଡ଼ିବ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପିକେପି