ସହଭାଗିତା ମାଧ୍ୟମରେ ସୁଦୃଢ଼ ହେଉଛି ଓଡ଼ିଶାର ଦକ୍ଷତା ଇକୋସିଷ୍ଟମ
ଭବିଷ୍ୟତ ଦକ୍ଷତା, ଶିଳ୍ପ ସହଯୋଗ, ଉତ୍କର୍ଷ କେନ୍ଦ୍ର ଓ ଯୁବବର୍ଗଙ୍କ ନିଯୁକ୍ତିକ୍ଷମତା ବୃଦ୍ଧିକୁ ଗୁରୁତ୍ୱ ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଭବିଷ୍ୟତ ପାଇଁ ଏକ ଦକ୍ଷ କାର୍ଯ୍ୟବଳ ପ୍ରସ୍ତୁତ କରିବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱକୁ ଅଧିକ ସୁଦୃଢ଼ କରିବା ଦିଗ
hyytk


ଭବିଷ୍ୟତ ଦକ୍ଷତା, ଶିଳ୍ପ ସହଯୋଗ, ଉତ୍କର୍ଷ କେନ୍ଦ୍ର ଓ ଯୁବବର୍ଗଙ୍କ ନିଯୁକ୍ତିକ୍ଷମତା ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଭବିଷ୍ୟତ ପାଇଁ ଏକ ଦକ୍ଷ କାର୍ଯ୍ୟବଳ ପ୍ରସ୍ତୁତ କରିବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଆଜି ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଂଟର'ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭିନ୍ନ ରଣନୈତିକ ଅଂଶୀଦାରଙ୍କ ସହିତ ଏମଓୟୁ ଆଦାନପ୍ରଦାନ କରାଯାଇଛି। ଏହି ସହଯୋଗିତା ରାଜ୍ୟର ଯୁବବର୍ଗଙ୍କ ପାଇଁ ଦକ୍ଷତା ବୃଦ୍ଧି, ଶିଳ୍ପ ଆବଶ୍ୟକତା ସହ ଯୋଡ଼ିହେବା, ବୈଷୟିକ ଶିକ୍ଷା, ଉତ୍କର୍ଷ କେନ୍ଦ୍ର, ଇନୋଭେସନ ଏବଂ ନିଯୁକ୍ତି ସୁଯୋଗକୁ ସୁଦୃଢ଼ କରିବ।

ସମାବେଶକୁ ସମ୍ବୋଧିତ କରି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏସବୁ ବୁଝାମଣାପତ୍ରଗୁଡିକୁ ମାନବ ସମ୍ବଳରେ ଗୁରୁତ୍ୱପୂର୍ଣ୍ଣ ନିବେଶ ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ସହଭାଗିତା ଓଡ଼ିଶାର ସମ୍ପ୍ରସାରିତ ହେଉଥିବା ଶିଳ୍ପ ଇକୋସିଷ୍ଟମ ପାଇଁ ଆବଶ୍ୟକ ଦକ୍ଷ କାର୍ଯ୍ୟବଳ ପ୍ରସ୍ତୁତ କରିବା ସହ ଯୁବପିଢ଼ିଙ୍କୁ ଗୁଣାତ୍ମକ ତାଲିମ, ନିଯୁକ୍ତି ଏବଂ କ୍ୟାରିୟରର ଅଗ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବ।

ଏହି ସହଯୋଗିତାଗୁଡ଼ିକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଆଡଭାନ୍ସ ମାନୁଫାକ୍ଚରିଂ, କୃତ୍ରିମ ବୁଦ୍ଧିମତା (ଏଆଇ), ସାଇବର ସୁରକ୍ଷା, ରୋବୋଟିକ୍ସ, ସେମିକଣ୍ଡକ୍ଟର, ଗ୍ରୀନ ଜବ୍ସ ଏବଂ ଅଟୋମୋଟିଭ ଟେକ୍ନୋଲୋଜି ଭଳି ଦ୍ରୁତ ବିକାଶଶୀଳ କ୍ଷେତ୍ରଗୁଡ଼ିକ ଉପରେ ଆଧାରିତ। ଏହି ଏମଓୟୁଗୁଡିକ ଉତ୍କର୍ଷ କେନ୍ଦ୍ରଗୁଡ଼ିକୁ ସହାୟତା କରିବା ସହ ଶିଳ୍ପ-ଭିତିକ ତାଲିମ, ପାଠ୍ୟକ୍ରମର ସଂସ୍କାର, ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଜ୍ଞାନ ଆଦାନପ୍ରଦାନ, ଆପ୍ରେଣ୍ଟିସସିପ୍ ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ କରିବ। ପ୍ରଶିକ୍ଷାର୍ଥୀମାନେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପର ଶ୍ରେଷ୍ଠ ପ୍ରକ୍ରିୟାଗୁଡ଼ିକ ସହ ଜଡ଼ିତ ହେବାର ଅଧିକ ସୁଯୋଗ ପାଇବେ, ଯାହା ତାଲିମକୁ ବଜାରର ଆବଶ୍ୟକତା ସହ ସମନ୍ୱୟ ରଖିବାରେ ସାହାଯ୍ୟ କରିବ।

ଏହି ଭାଗିଦାରୀ ବିଶେଷ ଭାବରେ ଭବିଷ୍ୟତର କୌଶଳ ଏବଂ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ ଦେଉଛି। ଏହାର ଲକ୍ଷ୍ୟ ହେଉଛି, ନୂତନ ଭାବେ ସୃଷ୍ଟି ହେଉଥିବା ଚାକିରି ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରିବା ସହ ନବସୃଜନ, ଡିଜିଟାଲ୍ ରୂପାନ୍ତରଣ ଏବଂ ସବୁଜ ବିକାଶକୁ ଆଗେଇ ନେବା। ଏହି ସହଯୋଗିତା ବୈଷୟିକ ଶିକ୍ଷା ଏବଂ କୁଶଳୀ ନିଯୁକ୍ତି କ୍ଷେତ୍ରରେ ମହିଳା ଓ ବଂଚିତ ବର୍ଗଙ୍କ ପାଇଁ ମଧ୍ୟ ସୁଯୋଗ ବଢାଇବ।

ଏହି ସହଯୋଗୀ ପ୍ରତିଷ୍ଠାନଗୁଡ଼ିକ ହେଉଛନ୍ତି: ୧ଏମ୧ବି ଫାଉଣ୍ଡେସନ୍, କାଲଡେରିସ୍ (ଫ୍ରାନ୍ସ), ସିଆଇଇଏଲ୍ ଏଚ୍ଆର ସର୍ଭିସେସ୍ ଲିମିଟେଡ୍, କ୍ଲୁସ୍ ଇଣ୍ଡିଆ (ଜର୍ମାନୀ), ଡେଲଫି-ଟିଭିଏସ୍ ଟେକ୍ନୋଲୋଜିସ୍ ଲିମିଟେଡ୍, ଏଫ୍୫ ଇଣ୍ଡିଆ (ଆମେରିକା), ଗୋଦ୍ରେଜ୍ କନ୍ଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ୍, ହେଟିଚ୍ ପୋଦାର ଉଡ୍ ୱର୍କିଂ ଇନ୍ଷ୍ଟିଚ୍ୟୁଟ୍, ଆଇଫରେଷ୍ଟ , ମହିନ୍ଦ୍ରା ହଲିଡେଜ୍ ଆଣ୍ଡ ରିସୋର୍ଟସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଓଏଏସଏମଇ , ସେମାଂଟିକ୍ସ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ,ଟିଏଚକେ ଇଣ୍ଡିଆ (ଜାପାନ) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ।

କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଚକ୍ରବର୍ତୀ ସିଂହ ରାଠୋର, ୱାର୍ଲ୍ଡ ସ୍କିଲ ସେଂଟରର ସିଇଓ ରଶ୍ମି ରଞ୍ଜନ ମହାପାତ୍ର ଏବଂ ଶିଳ୍ପ ଜଗତର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande