
ସୁନ୍ଦରଗଡ଼, ୯ ଅକ୍ଟୋବର (ହି.ସ.) - ବାଦ୍ ପଡ଼ିଥିବା ଭୋଟର ତଥା ନୂତନ କରି ଭୋଟର ହୋଇଥିବା ବା ଯୁବ ଭୋଟର ମାନଙ୍କ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ। ଏହି ସ୍ୱତନ୍ତ୍ର ଅଭିଯାନର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ନାମ ନଥିବା କିମ୍ବା ନାମ କଟିଯାଇଥିବା କୌଣସି ବି ବ୍ୟକ୍ତି ଯେକୌଣସି ସମୟରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।
ଏହି ଅବସରରେ ଆଜି ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୟ ନାରାୟଣ ତ୍ରିପାଠୀ, ପର୍ଶୁରାମ ସରାଫ,ଅଜିତ୍ ପ୍ରସାଦ,ଭେଷଜ ରଥ, ରାଜେନ୍ଦ୍ର ପଟେଲ, ରାଧା ନମନ ପଟେଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ସ୍ୱତନ୍ତ୍ର ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହିପରି ଭୋଟରମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା।
ଏହି ପରିପ୍ରେକ୍ଷୀରେ ବି ଏଲ ଓ ମାନେ ୩୧ ଅକ୍ଟୋବର ସୁଦ୍ଧା ଏସ ଆଇ ଆର୍ ପ୍ରକ୍ରିୟା ସମୟରେ କଟିଯାଇଥିବା ସମସ୍ତ ଭୋଟରଙ୍କ ନାମ ପୁନଃ ଯାଂଚ କରିବେ ଏବଂ ବାଦ୍ ପଡ଼ିଥିବା ଭୋଟର ତଥା ନୂତନ ଭୋଟର ମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ସେହିଭଳି ନେଭେମ୍ବର ୨ ତାରିଖ ଦିନ ବି ଏଲ ଓ ମାନେ ଏହି ତାଲିକାକୁ ବୁଥ ସ୍ତରୀୟ ଏଜେଂଟଏବଂ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସେୟାର କରିବେ। ସେହିଭଳି ନଭେମ୍ବର ୪ ତାରିଖ ଦିନ ବି ଏଲ ଓ ମାନେ ଯାଂଚ ଶେଷ ହୋଇଥିବା ନିଶ୍ଚିତ କରି କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ଏବଂ ଫର୍ମ-୬ ମାଧ୍ୟମରେ ପୁନଃ ଯୋଡ଼ାଯାଇଥିବା ଭୋଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଏହି ସ୍ୱତନ୍ତ୍ର ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଏବଂ ବାଦ୍ ପଡ଼ିଥିବା ଭୋଟର ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ