ସମ୍ବଲପୁର ଜମନକିରା ଓ ରେଙ୍ଗାଲିରେ ସେବା ସେତୁ ଶିବିର ଅନୁଷ୍ଠିତ
ରୋଜଗାର ସହ ବିସ୍ଥାପିତଙ୍କ ନ୍ୟାୟୋଚିତ ଅଧିକାର ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ - ଧର୍ମେନ୍ଦ୍ର ପ୍ରଧାନ ଜମନକିରା/ରେଙ୍ଗାଲି/ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) - ଶିଳ୍ପାଂଚଳ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ, ରୋଜଗାର, ଜମିର ମୂଲ୍ୟାଙ୍କନ ଓ ବିସ୍ଥାପିତଙ୍କ ନ୍ୟାୟୋଚିତ ଅଧିକାର ପାଇଁ ସର
dp


ରୋଜଗାର ସହ ବିସ୍ଥାପିତଙ୍କ ନ୍ୟାୟୋଚିତ ଅଧିକାର ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ - ଧର୍ମେନ୍ଦ୍ର ପ୍ରଧାନ

ଜମନକିରା/ରେଙ୍ଗାଲି/ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) - ଶିଳ୍ପାଂଚଳ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ, ରୋଜଗାର, ଜମିର ମୂଲ୍ୟାଙ୍କନ ଓ ବିସ୍ଥାପିତଙ୍କ ନ୍ୟାୟୋଚିତ ଅଧିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଂବେଦନଶୀଳ । ସ୍ଥାନୀୟ ଲୋକଙ୍କ ମୌଳିକ ଜୀବନଜୀବିକା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜମନକିରା ଓ ରେଙ୍ଗାଲି ଠାରେ ଆୟୋଜିତ ପୃଥକ ସେବା ସଂକଳ୍ପ ଅଭିଯାନ' ଅଧୀନରେ ସେବା ସେତୁ ଶିବିର'ରେ ଯୋଗଦେଇ କହିଛନ୍ତି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେବା ସେତୁ ଶିବିର କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ଓ ସାମାଜିକ ସୁରକ୍ଷା ଭତା ବିତରଣ କରିଥିଲେ । ଜମନକିରା ଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୨୫ ବର୍ଷର ସେବା ପ୍ରୟାସ ଦେଶରେ ବିକାଶର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଗରିବ, ମହିଳା, ଚାଷୀ, ଆଦିବାସୀ ଓ ଯୁବବର୍ଗଙ୍କ ସର୍ବାଙ୍ଗୀନ ବିକାଶ ହିଁ ଏହି ସେବା ମଡେଲର ମୁଖ୍ୟ ଆଧାର । ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟରେ ବହୁ ଆପେକ୍ଷିତ ନୂତନ ବୟସ୍କ ଗୁରୁଜନ ଓ ନିରାଶ୍ରୟମାନଙ୍କୁ ସାମାଜିକ ସୁରକ୍ଷା ଭତା ଦେବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହା ନିକଟ ଅତୀତରେ ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନା ଅଧୀନରେ ଜମନକିରା ବ୍ଲକର ୬୦୦ରୁ ଊର୍ଦ୍ଧ୍ୱ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଛି । ପୂର୍ବରୁ ଆବେଦନ କରିଥିବା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ବିନା ମଧ୍ୟସ୍ଥତାରେ ଏବଂ ବିନା ହାତଗୁଞ୍ଜାରେ ଅନଲାଇନ୍ ଏଣ୍ଟ୍ରି ମାଧ୍ୟମରେ ସିଧାସଳଖ ଭତା ପ୍ରଦାନ ସୁନିଶ୍ଚିତ କରିବାକୁ ସେ ସ୍ଥାନୀୟ ବିଡିଓ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରେଙ୍ଗାଲି ଠାରେ ଆୟୋଜିତ ସେବା ସେତୁ' କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରର ବିସ୍ଥାପିତ ପରିବାର ଓ ବୀର ସୁରେନ୍ଦ୍ର ସାଏଙ୍କ ଏହି ପବିତ୍ର ଭୂମିର ମୌଳିକ ସମସ୍ୟା ସହ ସେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଶିଳ୍ପାଞ୍ଚଳ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ, ରୋଜଗାର, ଜମିର ମୂଲ୍ୟାଙ୍କନ ଓ ବିସ୍ଥାପିତଙ୍କ ନ୍ୟାୟୋଚିତ ଅଧିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଂବେଦନଶୀଳ । ବିଶେଷ କରି ରାଜ୍ୟ ରାଜପଥ-୧୦ରେ ବେଆଇନ ଭାବେ ଶିଳ୍ପସଂସ୍ଥାର ଭାରୀ ଟ୍ରକ୍, ପାଉଁଶ ଓ କୋଇଲା ବୋଝେଇ ଗାଡ଼ି ପାର୍କିଂ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତରେ ସୃଷ୍ଟି ହେଉଥିବା ଜଟିଳ ସମସ୍ୟା ସମ୍ପର୍କରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କଡ଼ାକଡ଼ି ଭାବେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥଳରେ ହିଁ ଗାଡ଼ି ରଖିବା ସହ ସ୍ଥାନୀୟ ଲୋକଙ୍କ ମୌଳିକ ଜୀବନଜୀବିକା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ଏହି ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ରେଙ୍ଗାଳି ସ୍ଥିତ କତରବଗା ଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗଣେଶ ନଗର ଠାରେ ନବନିର୍ମିତ କଲ୍ୟାଣ ମଣ୍ଡପର ଲୋକାର୍ପଣ କରିଥିଲେ । ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ଓ କଲ୍ୟାଣ ମଣ୍ଡପ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସରକାରୀ ଯୋଜନା, କୃଷି ଉତ୍ପାଦନ, ମା’ ଓ ଶିଶୁଙ୍କ ପୋଷଣ, ରୋଜଗାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଗ୍ରାମୀଣ ବିକାଶ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ସୂଚନା ଅଭାବରୁ ଯେପରି କେହି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନର ଏହି ସେବା ସେତୁ' ଶିବିର ପ୍ରୟାସକୁ ସାଂସଦ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande