ଏଲ୍ଏନ୍ କଲେଜ ଛାତ୍ର ସଂସଦ ନିର୍ବାଚନ: ୪ ପଦବୀରେ ନିର୍ଦ୍ୱନ୍ଦ୍ୱ ବିଜୟ
Students election in JGG LN College
ଏଲ୍ଏନ୍ କଲେଜ ଛାତ୍ର ସଂସଦ ନିର୍ବାଚନ: ୪ ପଦବୀରେ ନିର୍ଦ୍ୱନ୍ଦ୍ୱ ବିଜୟ


ଝାରସୁଗୁଡ଼ା, 09 ଅକ୍ଟୋବର (ହି.ସ.) : ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। ମନୋନୟନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ କଲେଜ କର୍ତ୍ତୃପକ୍ଷ ବିଜ୍ଞପ୍ତି ନମ୍ବର ୧୬୪୪ ଅନୁଯାୟୀ ବୈଧ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି। ମୋଟ ୨୯ଟି ମନୋନୟନ ପତ୍ର ଦାଖଲ ହୋଇଥିବାବେଳେ ଯାଞ୍ଚ ପରେ ନିର୍ବାଚନର ଚିତ୍ର ସ୍ପଷ୍ଟ ହୋଇଛି।

ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ନଥିବାରୁ ଚାରିଟି ପ୍ରମୁଖ ପଦବୀରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଏମ୍.ଡି. ନାସିର ହୁସେନ, ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତିର୍ମୟୀ ସାହୁ, କ୍ରୀଡ଼ା ସମ୍ପାଦକ ଭାବେ ଋତୁରାଜ ପଧାନ ଏବଂ ନାଟ୍ୟ ସମ୍ପାଦକ ଭାବେ ମଧୁସ୍ମିତା କିଶାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଭୋଟଗ୍ରହଣରେ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦବୀ ପାଇଁ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ସାଧାରଣ ସମ୍ପାଦକ ପଦବୀ ପାଇଁ ପୀୟୂଷ ସରାଫ ଓ ବଳିଷ୍ଠା ପଧାନଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ସାଂସ୍କୃତିକ ସମ୍ପାଦକ ପଦବୀ ପାଇଁ ପ୍ରିୟଙ୍କା ମେହେର ଓ ରାହୁଲ ଗର୍ଗଙ୍କ ମଧ୍ୟରେ ମୁକାବିଲା ହେବ।

ଉପସଭାପତି ପଦବୀ ପାଇଁ ଦାଖଲ ହୋଇଥିବା ସମସ୍ତ ମନୋନୟନ ପତ୍ର ନାକଚ ହୋଇଥିବା ଜଣାପଡ଼ିଛି।

ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଦୁଇଟି ପଦବୀ ପାଇଁ ପ୍ରାର୍ଥୀମାନେ ପ୍ରଚାର ଜୋରଦାର କରିଛନ୍ତି। ଆସନ୍ତା ୧୫ ତାରିଖର ଭୋଟଗ୍ରହଣକୁ ନେଇ କଲେଜ ପରିସରରେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande