
ଝାରସୁଗୁଡ଼ା, ୯ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଓ ସମରବଗା ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଖରିଫ ଧାନ ଫସଲରେ ଚକଡ଼ା ପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ଖବର ପ୍ରକାଶ ପାଇବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀମାନେ ପ୍ରଭାବିତ ଧାନ କ୍ଷେତ ପରିଦର୍ଶନ କରିବା ସହ ଚାଷୀଙ୍କୁ ପୋକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପରାମର୍ଶ ଦେଇଛନ୍ତି।
ଲଖନପୁର ବ୍ଲକ କୃଷି ବିଭାଗର ଏକ ଟିମ୍ ଜାମଗାଁ ଓ ସମରବଗା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ଚକଡ଼ା ପୋକ ଆକ୍ରାନ୍ତ ଧାନ କ୍ଷେତର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଅଧିକାରୀମାନେ ଚାଷୀଙ୍କ ସହ ଆଲୋଚନା କରି ପୋକର ପ୍ରାଦୁର୍ଭାବ ଓ ଫସଲର କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ କୃଷି ବିଭାଗ ଅନୁମୋଦିତ କୀଟନାଶକକୁ ନିର୍ଦ୍ଧାରିତ ମାତ୍ରାରେ ଓ ସଠିକ୍ ପଦ୍ଧତିରେ ପ୍ରୟୋଗ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଧାନ କ୍ଷେତ ଉପରେ ନିୟମିତ ନଜର ରଖିବା ଏବଂ ପୋକର ପ୍ରାଦୁର୍ଭାବ ଦେଖାଦେଲେ ତୁରନ୍ତ କୃଷି ଅଧିକାରୀଙ୍କ ପରାମର୍ଶ ନେବାକୁ କୁହାଯାଇଥିଲା।
ଲଖନପୁର ଗୋଷ୍ଠୀ କୃଷି ଅଧିକାରୀ ଅମିତ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି କ୍ଷେତ୍ର ପରିଦର୍ଶନରେ ଜିଲ୍ଲା କୃଷି ଯୋଜନା ଅଧିକାରୀ ଲିଙ୍ଗରାଜ ପ୍ରଧାନ, ଡ. ଶିବାନନ୍ଦ ଦର୍ଜୀ, ସହକାରୀ କୃଷି ଅଧିକାରୀ ଅଙ୍କିତ କୁମାର ନାଏକ ଓ କୃଷି ଅଧିଦର୍ଶକ ପିତାମ୍ବର ବାଗ ପ୍ରମୁଖ ସାମିଲ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ, କୃଷକ ସାଥୀ ଧନଞ୍ଜୟ ପ୍ରଧାନଙ୍କ ସମେତ ଚାଷୀ ହିମାଂଶୁ ଭୂଷଣ ପ୍ରଧାନ, ଚନ୍ଦ୍ରମଣି ପ୍ରଧାନ, ଆନନ୍ଦ ବିଶି ଓ ତେଜରାମ ବାରିକ ଉପସ୍ଥିତ ରହି ଫସଲର ସ୍ଥିତି ଓ ପୋକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ, ସରପଞ୍ଚ ଗୋପୀନାଥ ସାଏଙ୍କ ଅନୁରୋଧକ୍ରମେ ଜାମଗାଁରେ ଚାଷୀଙ୍କ ପାଇଁ ଏକ କୃଷି ସଚେତନତା ଶିବିର ଆୟୋଜନ କରିବାକୁ ଗୋଷ୍ଠୀ କୃଷି ଅଧିକାରୀ ଅମିତ ପଟେଲ ସହମତି ପ୍ରକାଶ କରିଛନ୍ତି। ଚଳିତ ମାସ ୧୧ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ଶିବିର ଆୟୋଜନ ପାଇଁ ସରପଞ୍ଚଙ୍କୁ ଅନୁରୋଧ କରାଯାଇଛି। ଏଥିରେ ଧାନ ଫସଲର ରୋଗପୋକ ନିୟନ୍ତ୍ରଣ, ଜୈବିକ ପଦ୍ଧତିରେ ଉନ୍ନତ ଚାଷ ପ୍ରଣାଳୀ ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ବିଷୟରେ ଚାଷୀଙ୍କୁ ସଚେତନ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ