
ମାଲକାନଗିରି, ୯ ଅକ୍ଟୋବର (ହି.ସ.)- ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି । ଗାଁ ଗାଁ ବୁଲି ରୋଗୀ ସଂଗ୍ରହ କରି ବାହାର ଜିଲା ଓ ରାଜ୍ୟର ଘରୋଇ ଡାକ୍ତରଖାନାକୁ ନେଇ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କ୍ଲେମ୍ କରାଯାଉଛି। ଏହା ପଛରେ ଏକ ନେଟୱର୍କ କାମ କରୁଛି । ଦଲାଲମାନେ ଗାଁକୁ ଗାଁ ବୁଲି ଗରିବ ଓ ଆଦିବାସୀ ଲୋକଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ମୋହରା କରୁଛନ୍ତି । ଛୋଟମୋଟ ରୋଗ ପାଇଁ ସେମାନଙ୍କୁ
ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯିବାକୁ ମତାଉଛନ୍ତି । ଏପରିକି, ସେମାନଙ୍କୁ କିଛି ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି । ସେଠାକୁ ଯିବା ପରେ ଆୟୁଷ୍ମାନ କାର୍ଡରେ ଥିବା ସେମାନଙ୍କ ଅର୍ଥରୁ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରିନେଉଛନ୍ତି । ପ୍ରାୟ ୫୦ ଜଣ ରୋଗୀଙ୍କୁ ନେଇ ବିଶାଖାପଟଣା ଯାଉଥିବା ଏକ ବସ୍ କୁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଅଟକାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି I ରୋଗୀମାନଙ୍କ ସହ ଆଲୋଚନା ପରେ ଘଟଣାର ଅନେକ ଦିଗ ସାମ୍ନାକୁ ଆସିଛି।
ଅଭିଯୋଗକାରୀଙ୍କ କହିବାନୁସାରେ, ସାଧାରଣ ରୋଗ ପାଇଁ ମଧ୍ୟ ବଡ଼ ଧରଣର ଚିକିତ୍ସା ଦର୍ଶାଇ ଆୟୁଷ୍ମାନ କାର୍ଡରୁ ବଡ଼ ଅର୍ଥ କ୍ଲେମ୍ କରାଯାଉଛି । ଯେଉଁ ରୋଗୀଙ୍କୁ ବାହାରକୁ ଚିକିତ୍ସା ପାଇଁ ନିଆଯାଉଛି, ସେମାନଙ୍କ ମଧ୍ୟରୁ ଅନେକ ନିଜ କାର୍ଡରେ କେତେ ଟଙ୍କାର ଚିକିତ୍ସା ହୋଇଛି କିମ୍ବା କେତେ ଟଙ୍କାର କ୍ଲେମ୍ ହୋଇଛି, ସେ ସମ୍ପର୍କରେ ଅବଗତ ନଥିବା କୁହାଯାଉଛି। କଥା ଏପରି ହୋଇଛି କେତେକ ରୋଗୀଙ୍କ କାର୍ଡରୁ ସବୁତକ ଟଙ୍କା ଉଠାଇ ନିଆଯାଉଛି। ଆୟୁଷ୍ମାନ କାର୍ଡର ସୁବିଧା ଶେଷ ହୋଇଗଲେ କେତେକ ରୋଗୀଙ୍କୁ ଅଧା ଚିକିତ୍ସାରୁ ଘରକୁ ପଠାଇ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏତେ ସଂଖ୍ୟକ ରୋଗୀଙ୍କୁ ଏକାଠି କରି ବିଶାଖାପଟଣା ନିଆଯାଉଥିଲେ ହେଁ ଜିଲା ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନାହିଁ I ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କିଛି ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ରୋଗୀମାନଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ତଥ୍ୟ ପୁଲିସ ସଂଗ୍ରହ କରିଛି | ପଚରାଉଚରା ପରେ ରୋଗୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ତଦନ୍ତ ସମୟରେ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଆଜି ମଧ୍ୟ ପ୍ରାୟ ୨୦ରୁ ୨୫ ଜଣ ରୋଗୀଙ୍କୁ ବିଶାଖାପଟଣା ନେବା ପାଇଁ ମସୁଧା ହୋଇଥିବାର ସୂଚନା ପୁଲିସକୁ ମିଳିଛି। ଏଥିରେ ଏକ ବଡ଼ ନେଟୱର୍କ କାମ କରୁଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଆଦିବାସୀଙ୍କୁ ଶୋଷଣ କରିବାକୁ ଦିଆଯିବ ନାହିଁ ବୋଲି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରକାଶ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସେ ପତ୍ର ଲେଖି ତଦନ୍ତ ଦାବି କରିଛନ୍ତି । ଅଟକ ବ୍ୟକ୍ତିମାନଙ୍କୁ ପୁଲିସ ପଚରାଉଚରା କରିବା ପରେ ଏହି ଘଟଣାରେ ଆହୁରି କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ରୋଗୀଙ୍କ ନାମରେ ପ୍ରକୃତରେ କେତେ ଟଙ୍କାର କ୍ଲେମ୍ ହୋଇଛି ତାହା ଜଣାପଡ଼ିବାର ସମ୍ଭାବନା ରହିଛି । କେତେ ରୋଗୀଙ୍କ ନାମରେ କେତେ ଟଙ୍କା କ୍ଲେମ୍ ହୋଇଛି, କେଉଁ ଡାକ୍ତରଖାନାକୁ କେତେ ଟଙ୍କା ଦିଆଯାଇଛି, ରୋଗୀଙ୍କ ସମ୍ମତି ବିନା କୌଣସି କ୍ଲେମ୍ ହୋଇଛି କି ନାହିଁ ଏବଂ ଏହି ନେଟୱର୍କରେ ଆହୁରି କିଏ କିଏ ଅଛନ୍ତି ସେ ଦିଗରେ ପୁଲିସ ଓ ସ୍ବାସ୍ଥ୍ୟ ବିଭାଗର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ