ଲଇକେରାରେ ଭାଜପାର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ : ସଂଗଠନ ସୁଦୃଢ଼ୀକରଣ ଓ ଜନସେବାକୁ ଗୁରୁତ୍ଵ ଦେଲେ ବିଧାୟକ ଟଙ୍କଧର
BJP-meeting-Laikera-JHS
ସଂଗଠନ ସୁଦୃଢ଼ୀକରଣ ଓ ଜନସେବାକୁ ଗୁରୁତ୍ୱ ଦେଲେ


ଝାରସୁଗୁଡ଼ା, ୯ ଅକ୍ଟୋବର (ହି.ସ.)- ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଜନମୁଖୀ କରିବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଶୁକ୍ରବାର ଲଇକେରା ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟି (ଭାଜପା)ର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ସେ ଏହି ଆହ୍ୱାନ ଦେଇଥିଲେ।

ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ତ୍ରିପାଠୀ ଦଳର ଆଗାମୀ କାର୍ଯ୍ୟପନ୍ଥା ଓ ସାଂଗଠନିକ ଗତିବିଧି ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକର୍ତ୍ତା ଓ ଦଳୀୟ ସହଯୋଗୀଙ୍କ ସହ ମତ ବିନିମୟ କରି ସେ ଏକତାବଦ୍ଧ ଭାବେ ଜନସେବା ଓ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସଂଗଠନର ପ୍ରକୃତ ଶକ୍ତି ହେଉଛି କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠା ଓ ଜନସାଧାରଣଙ୍କ ବିଶ୍ୱାସ ବୋଲି ସେ ମତ ପ୍ରକାଶ କରିଥିଲେ। ଜନସାଧାରଣଙ୍କ ଆସ୍ଥାକୁ ଅଧିକ ମଜବୁତ କରିବା ସହ ଜନସେବାର ଧାରାକୁ ନିରନ୍ତର ଆଗେଇ ନେବା ପାଇଁ ସମସ୍ତେ ସମର୍ପିତ ମନୋଭାବରେ କାମ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ଲଇକେରା ବ୍ଲକର ବହୁ ସଂଖ୍ୟକ ଭାଜପା କର୍ମକର୍ତ୍ତା, ନେତୃବୃନ୍ଦ ଓ ସମର୍ଥକ ଉପସ୍ଥିତ ରହି ସାଂଗଠନିକ ଆଲୋଚନାରେ ଭାଗ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande