ଝାରସୁଗୁଡ଼ାରେ ୨୦୨୭ ଜାନୁଆରୀ ୩୦ ଓ ୩୧ରେ ଭୁଲିଆ ମେହେର ସମାଜର ବିଶାଳ ମହାସଭା : ଚୌଜିଲ୍ଲା ସଂଗଠନର ଚତୁର୍ଥ ବାର୍ଷିକ ଅଧିବେଶନରେ ନିଷ୍ପତ୍ତି
Bhulia community meeting
ଝାରସୁଗୁଡ଼ାରେ ଜାନୁଆରୀ ୩୦ ଓ ୩୧ରେ ଭୁଲିଆ ମେହେର


ଝାରସୁଗୁଡ଼ା, ୯ ଅକ୍ଟୋବର (ହି.ସ.)- ଚୌଜିଲ୍ଲା ଭୁଲିଆ ମେହେର ସମାଜର ଚତୁର୍ଥ ବାର୍ଷିକ ଅଧିବେଶନ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ କେ. କଣ୍ଟାପାଲି ଠାରେ ସଫଳତାର ସହ ଆଜି ଅନୁଷ୍ଠିତ ହୋଇଯାଇଛି। କଣ୍ଟାପାଲି ମେହେର ସମାଜର ନେତୃତ୍ୱରେ ଆୟୋଜିତ ଏହି ଅଧିବେଶନରେ ଚୌଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସମାଜର ପ୍ରମୁଖ କର୍ମକର୍ତ୍ତା, ସମାଜସେବୀ ଓ ଆଞ୍ଚଳିକ ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ସମାଜର ସାଂଗଠନିକ ଭିତ୍ତିକୁ ଅଧିକ ସୁଦୃଢ଼ କରିବା ସହ ଏହାକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଆଗାମୀ ମହାସଭାର ଆୟୋଜନ, ସ୍ଥାନ ଓ ତାରିଖ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସଭାରେ ଚୌଜିଲ୍ଲା ସଭାପତି ଚନ୍ଦ୍ରଶେଖର ମେହେର, କାର୍ଯ୍ୟକାରୀ ସଭାପତି ଶତ୍ରୁଘ୍ନ ମେହେର, ଉପସଭାପତି ବଂଶୀଧର ମେହେର, ଅର୍ଜୁନ ମେହେର, ପ୍ରମୋଦ ମେହେର ଓ ରମାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ସଭାପତି ସୁରେଶ ମେହେର, ସମ୍ପାଦକ ଦୟାନିଧି ମେହେର, ପୂର୍ବତନ ସମ୍ପାଦକ ଜଗଦୀଶ ମେହେରଙ୍କ ସମେତ ବିଭିନ୍ନ ଆଞ୍ଚଳିକ କମିଟିର ସଭାପତି ଓ ସମ୍ପାଦକମାନେ ଯୋଗଦେଇ ନିଜସ୍ୱ ମତାମତ ରଖିଥିଲେ। ସାଂଗଠନିକ ବୈଠକକୁ ସଂଯୋଜକ ପବିତ୍ର ମୋହନ ମେହେର ପରିଚାଳନା କରିଥିବା ବେଳେ ସହ-ସଂଯୋଜକ ପ୍ରମୋଦ କୁମାର ମେହେର ଓ କୋଷାଧ୍ୟକ୍ଷ ପ୍ରଦୀପ ମେହେର ନିଜ ନିଜର ଦାୟିତ୍ୱ ତୁଲାଇଥିଲେ।

ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ୨୦୨୭ ଜାନୁଆରୀ ୩୦ ଓ ୩୧ ତାରିଖରେ ଝାରସୁଗୁଡ଼ା ଠାରେ ଭୁଲିଆ ମେହେର ସମାଜର ଏକ ବିଶାଳ ମହାସଭା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମହାସଭାକୁ ସଫଳ କରିବା ପାଇଁ ସମାଜର ସମସ୍ତ ସଦସ୍ୟଙ୍କୁ ଏବେଠାରୁ ଏକଜୁଟ ହୋଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande