
ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ସରକାରୀ ଆଶ୍ରମ ବିଦ୍ୟାଳୟ ମହୀପୁର ଠାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଉପନଗରପାଳ ମାମୀ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଯୋଗଦେଇ ସୁରଭି ଶିଶୁର ସର୍ବାଙ୍ଗୀନ ବିକାଶର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଓ ଏସ୍ଏମ୍ସି ଚେୟାରମେନ ହରିଶ୍ଚନ୍ଦ୍ର ଭୋଇ ଯୋଗଦେଇ କାର୍ଯ୍ୟକ୍ରମ ସଫଳତା କାମନା କରିଥିଲେ। ସିଆର୍ସିସି ଜଗମୋହନ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଂଚାଳନ କରିଥିଲେ। ଉଦ୍ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ନଗରପାଳ ଅଜୟ ଜୟଶ୍ୱାଲ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସର୍ବକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ବରିଷ୍ଠ ଉଚ୍ଚ ମାଧ୍ୟମିକ ଏହିପରି ଚାରୋଟି ବିଭାଗରେ ମୋଟ ୪୩ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୋଟ ୩୫୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ୨୦ଜଣ ଗାଇଡ୍ ଟିଚର୍ ସହଯୋଗ କରିଥିଲେ। ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ଗୋବିନ୍ଦ ବାଗ, ଅନ୍ୱେଷା ହୋତା ଓ ଇରାରାଣୀ ଗୁରୁ ଯୋଗ ଦେଇଥିଲେ। ଶେଷରେ ପୂରନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ମହୀପୁର ଆଶ୍ରମ ବିଦ୍ୟାଳୟର ସାଂସ୍କୃତିକ ଦଳ ବ୍ଲକ୍ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ। କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ