
ଝାରସୁଗୁଡ଼ା, ୦୯ ଅକ୍ଟୋବର (ହି.ସ.) - ଲଇକେରା ଅଂଚଳର ବରିଷ୍ଠ ସମାଜସେବୀ ତଥା ଚୌ-ଜିଲ୍ଲା ଭୁଲିଆ ସମାଜର ପୂର୍ବତନ ସଭାପତି ନୃପଲାଲ ମେହେର (୯୫)ଙ୍କ ହୃଦଘାତରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଲଇକେରା ସମେତ ସମଗ୍ର ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।
ସ୍ୱର୍ଗତ ମେହେର ଦୀର୍ଘ ୧୫ ବର୍ଷ ଧରି ଚୌ ଜିଲ୍ଲା ଭୁଲିଆ ସମାଜର ସଭାପତି ଦାୟିତ୍ୱ ତୁଲାଇ ସମାଜର ସାଂଗଠନିକ ବିକାଶ ଓ ଉନ୍ନତି ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ସମାଜ ପ୍ରତି ତାଙ୍କର ନିଷ୍ଠା, ସେବା ମନୋଭାବ ଓ ନେତୃତ୍ୱ ତାଙ୍କୁ ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ସେ କେବଳ ଜଣେ ସମାଜସେବୀ ନଥିଲେ, ବରଂ ନିଜର ସରଳ ଜୀବନଯାପନ, ମିଷ୍ଟଭାଷୀ ସ୍ୱଭାବ ଓ ଧର୍ମପରାୟଣତା ଯୋଗୁଁ ସମସ୍ତଙ୍କ ନିକଟରେ ଆଦରଣୀୟ ହୋଇପାରିଥିଲେ । ତାଙ୍କ ବିୟୋଗରେ ସମାଜ ଜଣେ ଅଭିଜ୍ଞ ମାର୍ଗଦର୍ଶକ ଓ ଅଂଚଳ ଜଣେ ନିଷ୍ଠାବାନ ସମାଜସେବୀଙ୍କୁ ହରାଇଲା । ତାଙ୍କ ପରଲୋକ ଖବର ପାଇ ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ଅର୍ଜୁନ ମେହେର ମୁଖାଗ୍ନି ଦେଇଥିଲେ । ଅନ୍ୟ ପୁତ୍ର ତୁଲେଶ୍ୱର ମେହେର, ବସନ୍ତ ମେହେର ଓ ମୁରଲୀଧର ମେହେରଙ୍କ ସମେତ ପୁତ୍ରବଧୂ, ନାତିନାତୁଣୀ ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ