
ଝାରସୁଗୁଡ଼ା, ୯ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଂଚଳ ହୋଇଉଠିଛି କ୍ୟାମ୍ପସ। ନାମାଙ୍କନ ପତ୍ର ଦାଖଲ ଓ ଯାଂଚ ପରେ ପ୍ରାର୍ଥୀଙ୍କ ସ୍ଥିତି ସ୍ପଷ୍ଟ ହୋଇଥିବାବେଳେ ପିକେଏସ୍ଏସ୍ ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ ହେବ। ଅନ୍ୟପକ୍ଷରେ ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟରେ କ୍ଲାସ୍ ରିପ୍ରେଜେଣ୍ଟେଟିଭ୍ (ସିଆ)ର୍ ପଦ ପାଇଁ ତିନି ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।
ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ହଂସାମୁରା-କଟାପାଲିସ୍ଥିତ ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ (ପିକେଏସ୍ଏସ୍)ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଯାଂଚ ପରେ ସଭାପତି ପଦ ପାଇଁ ଚାରି ଜଣଙ୍କ ପ୍ରାର୍ôଥତ୍ୱ ବୈଧ ହୋଇଛି। ସେମାନେ ହେଲେ ସୌଭାଗ୍ୟ ରୋହିଦାସ, ଉଷାରାଣୀ ବେହେରା, ଶ୍ୟାମ ରଞ୍ଜନ ଶାହ ଓ ଦମୟନ୍ତୀ ମଲ୍ଲିକ। ଏହି ଚାରି ପ୍ରାର୍ଥୀଙ୍କ ମଧ୍ୟରେ ସଭାପତି ପଦ ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି।
ସେହିପରି ଉପସଭାପତି ପଦରେ ମନିଷ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦ ପାଇଁ ଖସିଲ ରୋହିଦାସ ଓ ତୃପ୍ତି ଭୋଇଙ୍କ ମଧ୍ୟରେ ଲଢ଼େଇ ହେବ। ଅନ୍ୟପକ୍ଷରେ ସାଂସ୍କୃତିକ ସମ୍ପାଦକ ପଦରେ ଶୀତଲ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଫଳରେ ଏହି କଲେଜରେ ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନୀ ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପଟେ ବେଲପାହାଡ଼ ସ୍ନାତକ ମହାବିଦ୍ୟାଳୟରେ କ୍ଲାସ୍ ରିପ୍ରେଜେଂଟେଟିଭ୍ ପଦ ପାଇଁ ତିନି ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ସେମାନେ ହେଲେ ସୁମିତ ପ୍ରଧାନ, ମୁକ୍ତେଶ୍ୱର ଗହିର ଓ ପୁନମ କୁମାରୀ। ତିନି ଜଣଙ୍କ ମଧ୍ୟରେ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ।
ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଭୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବାବେଳେ ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛିବା ପାଇଁ ଛାତ୍ରଛାତ୍ରୀ ଉତ୍ସୁକ ରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ