
ଜୟପୁର, ୯ ଅକ୍ଟୋବର (ହି.ସ.)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଜୟପୁର ଗୋପବନ୍ଧୁ ନଗରରେ ରହିଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା । ସଂଗଠନ ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ସଭାରେ ସଭାପତି ମଦନ ମୋହନ ନାୟକ ପୌରୋହିତ୍ୟ କରିଥିଲେ । ସଂପାଦକ ନବୀନ ମାଦଳା କାର୍ଯ୍ୟକ୍ରମର ବିବରଣୀ ଜଣାଇଥିବା ବେଳେ ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଉତ୍କଳମଣିଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ପରାଧିନ ଭାରତବର୍ଷରେ ୧୮୭୭ ମସିହା ଆଜିର ଦିନରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଜନ୍ମ ଗ୍ରହଣ କରିଥିବା ବେଳେ ୧୯୨୮ ଜୁନ୍ ୧୭ ତାରିଖରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ସମୟ କାଳ ମଧ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇନଥିବା ବେଳେ ସେ ଅହରହ ଓଡ଼ିଆ ଭାଷା ଏବଂ ଓଡ଼ିଆଙ୍କ ସେବା ପାଇଁ ଉଦ୍ୟମ କରିବା ବିଷୟ ସଦାବେଳେ ଅବିସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ । ଉତ୍କଳମଣି ଏକାଧାରାରେ ଜଣେ ସାମାଜିକ ସଂଗଠକ, ଶିକ୍ଷାବିତ୍, ରାଜନେତା, ସାମ୍ବାଦିକ, କବି ଓ ପ୍ରାବନ୍ଧିକ ଥିବାବେଳେ ଲୋକଙ୍କ ସେବା ପ୍ରତି ତାଙ୍କର ପ୍ରାଣ କେତେ ଉତ୍ସର୍ଗୀକୃତ ଥିଲା ସେ ସଂପର୍କରେ ବକ୍ତାମାନେ ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ପରିଛା, ଖଲି ପଟ୍ଟନାୟକ, ଦୁର୍ଲଭ ଗୌଡ଼, ରବି ନାରାୟଣ ଗୌଡ଼, ରାଜେନ୍ଦ୍ର କୁମାର ଜେନା, ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଜୟପୁର ପୂଜ୍ଯପୂଜା ସଂସଦ, ଜୟପୁର ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୯ ତମ ଜୟନ୍ତୀ ସ୍ଥାନୀୟ ଗୋପବନ୍ଧୁ ନଗରସ୍ଥିତ ମୂର୍ତି ସ୍ଥଳରେ ପାଳିତ ହୋଇଯାଇଛି। ସଂସଦର ଉପସଭାପତି ତପନ କିରଣ ତ୍ରିପାଠୀ, ସଂପାଦକ ବୈରାଗୀ ଚରଣ ସାହୁ, ଉପଦେଷ୍ଟା ପ୍ରମୋଦ କୁମାର ରାଉଳ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନୀ ବିଷୟରେ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି