
ଝାରସୁଗୁଡ଼ା, ୯ ଅକ୍ଟୋବର (ହି.ସ.)- ଜନସ୍ଵାସ୍ଥ୍ୟର ଉନ୍ନତି ଓ ସାମାଜିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ‘ଜୋଶ୍’ (ସ୍ୱାସ୍ଥ୍ୟ ପାଇଁ ମିଳିତ ଦଳ) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ଶୁଭାରମ୍ଭ ସହ ସମନ୍ୱୟ ରଖି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଯୁବ ଅଧିକାରୀ, ‘ମାଇଁ ଭାରତ’ର ସଂଯୋଜକ ଏବଂ ଜାତୀୟ କ୍ୟାଡେଟ୍ ବାହିନୀର କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ।
ଜିଲ୍ଲାର ସମସ୍ତ ବ୍ଲକକୁ ପ୍ରତିନିଧିତ୍ୱ କରି ‘ମାଇଁ ଭାରତ’ର ସ୍ୱେଚ୍ଛାସେବୀ, ଜାତୀୟ କ୍ୟାଡେଟ୍ ବାହିନୀର କ୍ୟାଡେଟ୍ ଓ ଅଧିକାରୀଙ୍କୁ ନେଇ ଏକ ନୂତନ ‘ଜୋଶ୍’ ଦଳ ଗଠନ କରାଯାଇଛି। ଏହି ଦଳ ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସାମାଜିକ ସଚେତନତା ବୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶକ୍ତି ପ୍ରକାଶ ପାଢ଼ୀ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଏହି ପଦକ୍ଷେପର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ସେହିପରି ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତି ନବଗଠିତ ଦଳର ସଦସ୍ୟମାନଙ୍କୁ କ୍ଷେତ୍ର ସ୍ତରରେ କାର୍ଯ୍ୟ କରିବାର ପ୍ରଣାଳୀ, ଦାୟିତ୍ୱ ଓ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ଅବଗତ କରାଇଥିଲେ। ଏହି ପଦକ୍ଷେପ ଦ୍ୱାରା ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅଧିକ ସୁଦୃଢ଼ ହେବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଛି। ଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ରେଶମା ରାଣା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ