
ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ
ସ୍ୱଚ୍ଛ ଓ ପାରଦର୍ଶୀ ବିଜ୍ଞାପନ ପରିଚାଳନା ପାଇଁ ଇ-ସଂଚାର ଆପ୍'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପ୍ରଣୟନ ହେବ ପ୍ରଭାବଶାଳୀ ସୋସିଆଲ ମିଡିଆ ନୀତି’
ସୋସିଆଲ ମିଡିଆ ମନିଟରିଂ ଜରିଆରେ ଜନସାଧାରଣଙ୍କ ଫିଡ୍ ବ୍ୟାକ୍ ତ୍ୱରିତ ଭାବେ ଗ୍ରହଣ କରାଯାଉ
ସୂଚନା ଅଧିକାରୀମାନେ ଆଧୁନିକ ସଂଚାର ବ୍ୟବସ୍ଥାର ପରିଚାଳକ ହୁଅନ୍ତୁ
ସଠିକ୍, ଶୀଘ୍ର ଓ ସରଳତା ହେଉଛି ସରକାରୀ ସୂଚନା ସଂଚାରର ତିନୋଟି ମୁଖ୍ୟ ସ୍ତମ୍ଭ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ.)- ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଂଚାର ପାଇଁ ଏକ ପ୍ରଭାବଶାଳୀ ସୋସିଆଲ ମିଡିଆ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଂଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନ କନଭେନସନ୍ ସେଂଟର ଠାରେ ସୂଚନା ସେବା ଅଧିକାରୀଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ କୃତ୍ରିମ ବୁଦ୍ଧିମତା ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଂଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍?ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଛନ୍ତି ଯେ ବର୍ତମାନର ସମୟ କେବଳ ପାରମ୍ପରିକ ପ୍ରିଂଟ ବା ଇଲେକ୍ଟ୍ରୋନିକ୍ସ ମିଡିଆର ସମୟ ନୁହେଁ, ବରଂ ସୋସିଆଲ ମିଡିଆ ଏବଂ କ୍ରିଏଟର ଇକୋନୋମିର ଯୁଗ। ପ୍ରତ୍ୟେକ ନାଗରିକଙ୍କ ହାତରେ ଥିବା ମୋବାଇଲ୍ ଫୋନ୍ ଆଜି ଏକାଧାରରେ ଖବରକାଗଜ, ଟେଲିଭିଜନ, ରେଡିଓ ଏବଂ ଏକାଧିକ ଯୋଗାଯୋଗର ମାଧ୍ୟମ ପାଲଟିଛି। ତେଣୁ ସରକାରୀ ଅଧିକାରୀମାନଙ୍କୁ କେବଳ ପ୍ରେସ୍ ରିଲିଜ୍ ଜାରି କରିବାରେ ସୀମିତ ନ ରହି ଜଣେ ଦକ୍ଷ କମ୍ୟୁନିକେସନ ପ୍ରଫେସ୍ନାଲ୍ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ସୋସିଆଲ ମିଡିଆ ମନିଟରିଂ ଏବଂ ସୋସିଆଲ ଲିଆସନିଙ୍ଗ୍ ଜରିଆରେ ଜନସାଧାରଣଙ୍କ ମତାମତ ଓ ସମସ୍ୟାଗୁଡ଼ିକୁ ତ୍ୱରିତ ଭାବେ ଗ୍ରହଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।
ଖବର ପରିବେଷଣ ଏବଂ ସରକାରୀ ଯୋଗାଯୋଗର ମୂଳସ୍ତମ୍ଭ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ଯୋଗାଯୋଗ ଶୈଳୀ ସବୁବେଳେ ତିନୋଟି ପ୍ରମୁଖ ନୀତି ଉପରେ ପର୍ଯ୍ୟବେସିତ ହେବା ଉଚିତ୍-ସେଗୁଡ଼ିକ ହେଲା ତଥ୍ୟଗତ ସଠିକତା, ସମୟୋପଯୋଗୀ ଦ୍ରୁତତା ଏବଂ ସରଳତା। ସରକାରୀ ତଥ୍ୟ କିମ୍ବା ପରିସଂଖ୍ୟାନରେ କୌଣସି ଭୁଲ୍ ଗ୍ରହଣୀୟ ନୁହେଁ। ଡିଜିଟାଲ ଯୁଗରେ ସୂଚନା ପ୍ରଦାନରେ ବିଳମ୍ବ ହେଲେ ଏକ ସୂଚନା ଶୂନ୍ୟତା ସୃଷ୍ଟି ହୁଏ, ଯାହାର ସୁଯୋଗ ନେଇ ଅନେକ ସମୟରେ କିଛି ଲୋକ ଭୁଲ୍ ଓ ବିଭ୍ରାନ୍ତିକର ସୂଚନା ପ୍ରଦାନ କରିଥାନ୍ତି। ତେଣୁ ସଠିକ୍ ସୂଚନାକୁ ଦ୍ରୁତ ଗତିରେ ଏବଂ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷାରେ ଲୋକଙ୍କ ନିକଟରେ ପହଂଚାଇବାକୁ ହେବ।
ଏହି ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀ କାହାଣୀ କହିବା ଶୈଳୀ ବା ଷ୍ଟୋରିଟେଲିଂ ଉପରେ ବିଶେଷ ଜୋର୍ ଦେଇଛନ୍ତି। କେବଳ ଶୁଷ୍କ ପରିସଂଖ୍ୟାନ ବା ତଥ୍ୟ ଦେବା ପରିବର୍ତେ ସରକାରୀ ଯୋଜନାଗୁଡ଼ିକ କିପରି ଜଣେ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତନ ଆଣୁଛି, ତାହାର ମାନବୀୟ କାହାଣୀ ଲୋକଙ୍କ ସାମ୍ନାକୁ ଆଣିପାରିଲେ ଏହା ପ୍ରଭାବଶାଳୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ହିତାଧିକାରୀଙ୍କ କାହାଣୀକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ। କାରଣ ହିତାଧିକାରୀମାନଙ୍କ ମନ୍ତବ୍ୟ ହିଁ ସରକାରୀ ସେବା ପ୍ରଦାନର ପ୍ରକୃତ ପ୍ରମାଣ ।
ଆଜିର ଏହି କୃତ୍ରିମ ବୁଦ୍ଧିମତା ଯୁଗରେ ଡିପ୍-ଫେକ୍, କ୍ଲୋନ୍ ହୋଇଥିବା ସ୍ୱର ଏବଂ କୃତ୍ରିମ ଭିଡିଓଗୁଡ଼ିକ ସମାଜରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ଭୁଲ୍ ଖବର ଶୀଘ୍ର ବ୍ୟାପିଥାଏ। ତେଣୁ ଯେକୌଣସି ତଥ୍ୟ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଂଚ କରିବା ଅତ୍ୟନ୍ତ ଜରୁରୀ। ସରକାରୀ ଅଧିକାରୀମାନେ ଆଜୀବନ ଶିକ୍ଷାର୍ଥୀ ହୋଇ ଡିଜିଟାଲ୍ ମିଡିଆ, ଫ୍ୟାକ୍ଟ-ଚେକିଂ, ଏବଂ ଭିଡିଓ କେଂଟଂଟ୍ କ୍ରିଏସନ୍ ରେ ଦକ୍ଷତା ହାସଲ କରିବା ଆବଶ୍ୟକ।
ସୂଚନା ଅଧିକାରୀମାନେ କେବଳ ପ୍ରେସ ରିଲିଜରେ ସୀମିତ ନ ରହି ଆଧୁନିକ ସଞ୍ଚାର ବ୍ୟବସ୍ଥାର ପରିଚାଳକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ସରକାରଙ୍କ ପକ୍ଷରୁ ସୂଚନା ସେବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଜିଲ୍ଲାଠାରୁ ମୁଖ୍ୟାଳୟ ପର୍ଯ୍ୟନ୍ତ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିସ୍ତୃତ ପ୍ରସ୍ତାବ ଦେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଶେଷରେ, ସମସ୍ତ ଅଧିକାରୀମାନେ ନିଷ୍ଠା ଓ ବୃତିଗତ ଦକ୍ଷତାର ସହିତ କାମ କରି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଡିଜିଟାଲ ଯୁଗର ଏହି ପରିବର୍ତନଶୀଳ ପରିବେଶରେ ଅଧିକାରୀମାନେ କେବଳ ସୂଚନା ପ୍ରସାର କରିବାରେ ସୀମିତ ନ ରହି, ସରକାରଙ୍କ ପ୍ରତ୍ୟେକଟି ଜନକଲ୍ୟାଣକାରୀ କାର୍ଯ୍ୟକୁ ସଚ୍ଚୋଟତା ଓ ପ୍ରତିବଦ୍ଧତାର ସହ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଚିତ୍। ସଠିକ୍ ତଥ୍ୟର ପ୍ରଚାର ଓ ପ୍ରସାର ଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱସନୀୟତା ଆହୁରି ଦୃଢ଼ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ସରକାରୀ ଯୋଜନା ଓ ସଫଳତାର ପ୍ରକୃତ ତଥ୍ୟକୁ ସଠିକ୍ ଭାବେ ଲୋକଙ୍କ ପାଖରେ ପହଂଚାଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ, ଏବଂ ଜଣେ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କ ସକରାତ୍ମକ ମନୋଭାବ ତଥା କାର୍ଯ୍ୟଶୈଳୀ ନିଶ୍ଚିତ ଭାବରେ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ପ୍ରେରଣା ଫଳରେ ହିଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଏବଂ ଏହି ବିଭାଗ ପ୍ରତି ତାଙ୍କର ସମର୍ପଣ ଭାବର ଉଚ୍ଚ ପ୍ରଶଂସା କରିଥିଲେ। ନୂତନ ଅଫିସରମାନଙ୍କୁ ଉତ୍ସାହିତ କରି ଶ୍ରୀ ଶର୍ମା କହିଥିଲେ ଯେ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ହେଉଛନ୍ତି ପ୍ରକୃତରେ ସରକାରଙ୍କ ପ୍ରମୁଖ ଚେହେରା। ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ନୀତିଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ସେମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଆଜିର ଡିଜିଟାଲ ଯୁଗର ଗୁରୁତ୍ୱ ଉପରେ ଆଲୋକପାତ କରି ସେ ମତବ୍ୟକ୍ତ କରିଥିଲେ ଯେ, ଆଜିର ଏହି ଅଧିବେଶନଟି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିବେଶନମାନଙ୍କ ମଧ୍ୟରୁ ଅନ୍ୟତମ; କାରଣ ସୋସିଆଲ ମିଡିଆ ବର୍ତମାନ ପ୍ରଶାସନର ଏକ ଅପରିହାର୍ଯ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏହି ଗଣମାଧ୍ୟମର ସଠିକ୍ ଓ ପ୍ରଭାବଶାଳୀ ବ୍ୟବହାର କରି ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବାକୁ ସେ କହିଥିଲେ।
ଏହି ଅବସରରେ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଇ-ସଂଚାର ଆପ୍'କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସୂଚନା ସେବା ସଂଘ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ପତ୍ରିକା ଲୋକସମ୍ପର୍କ' ର ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା, ଉପଖଣ୍ଡ ଓ ବିଭାଗରେ କାର୍ଯ୍ୟରତ ସୂଚନା ସେବା ଅଧିକାରୀ ମାନେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା