
କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ରଥକାଠକୁ ସୁରକ୍ଷିତ ଭାବେ ରଖିବା ପାଇଁ ଏକ ପକ୍କା ଛାତ କୋଠା ଗୋଦାମ ଗୃହ ନିର୍ମାଣ କରିବା ପାଇଁ ଟ୍ରଷ୍ଟ ବୋର୍ଡରେ ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ଉକ୍ତ ଗୋଦାମ ଗୃହର ଯନ୍ତ୍ରୀଙ୍କ ଦ୍ୱାରା ନକ୍ସା ଓ ପନ୍ଦର ଲକ୍ଷ ଦୁଇ ହଜାର ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ଗୁରୁବାର ସକାଳ ସମୟରେ ଏଣ୍ଡାଉମେଣ୍ଟ କାର୍ଯ୍ୟାଳୟ ସଂଲଗ୍ନ ସ୍ଥାନରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ଭୂମି ପୂଜନ କରାଯାଇଛି ।
ଭୂମି ପୂଜନ ସମୟରେ ଟ୍ରଷ୍ଟବୋର୍ଡ ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଟ୍ରଷ୍ଟବୋର୍ଡ ସଭ୍ୟ ପୈାର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଓ ଆସିଷ୍ଟାଣ୍ଟ ଏକଜ୍ୟୁଟିଭ ଇଞ୍ଜିନିୟର ଚୈାଧୁରୀ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଫିସ ସହାୟକ ନିତ୍ୟାନନ୍ଦ ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି