ପତ୍ରାପାଲି ରାସ୍ତା ନିର୍ମାଣର ମାନକୁ ନେଇ ବିବାଦ : ଗ୍ରାମବାସୀଙ୍କ ଅଭିଯୋଗ ପରେ କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ଆରଡି ଏସଡିଓ
SDO visit the road construction area
ପତ୍ରାପାଲି ରାସ୍ତା ନିର୍ମାଣର ମାନକୁ ନେଇ ବିବାଦ ଗ୍ରାମବାସୀଙ୍କ


ଝାରସୁଗୁଡ଼ା, ୯ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପତ୍ରାପାଲି ଛକରୁ ଗାଁ ଭିତରକୁ ଯାଇଥିବା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟକୁ ନେଇ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟ ଓ ରାସ୍ତା ପାର୍ଶ୍ୱରେ ଗାର୍ଡୱାଲ୍ ନିର୍ମାଣ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗର ଏସଡିଓ ଶୁଭ୍ରାଂଶୁ ମହାନ୍ତି ଠିକାଦାରଙ୍କ ସହ କାର୍ଯ୍ୟସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ତିନି ମାସ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାଏଁ କାର୍ଯ୍ୟ ସମ୍ପର୍କିତ ସୂଚନା ଫଳକ ଲଗାଯାଇନାହିଁ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଅଭିଯୋଗ ଶୁଣିବା ସମୟରେ ଏସଡିଓ ଗ୍ରାମବାସୀଙ୍କୁ ସେମାନେ କ’ଣ ସିଭିଲ୍ ଇଞ୍ଜିନିୟର ବୋଲି ପ୍ରଶ୍ନ କରିବା ସହ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହେଉଥିବା କହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ କାର୍ଯ୍ୟ ଶେଷ ହେବା ପରେ ସୂଚନା ଫଳକ ଲଗାଯିବ ବୋଲି ଏସଡିଓ କହିଥିବା ସେମାନେ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ଗ୍ରାମର ସାଗର ପ୍ରଧାନ, ନରେଶ ପ୍ରଧାନ, ବିକାଶ ପ୍ରଧାନ, ରଜତ ସାହୁ, ହେମନ୍ତ ଝାଙ୍କର, ମୁରାରି ସେଟ୍ ଙ୍କ ସମେତ ଅନେକ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଉଠାଇବା ପରେ ବିଭାଗୀୟ ଅଧିକାରୀ ନାଲି ଆଖି ଦେଖାଇ ସେମାନଙ୍କୁ ଚୁପ୍ କରାଇବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ସହ ଏହାର ମାନ ନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଏସଡିଓ ଶୁଭ୍ରାଂଶୁ ମହାନ୍ତି ଗ୍ରାମବାସୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ନିର୍ମାଣ କାର୍ଯ୍ୟ ଉନ୍ନତ ମାନର ହେଉଥିବା ଦାବି କରିଛନ୍ତି। ସୂଚନା ଫଳକ ଲଗାଯାଇନଥିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଫଳକ ଚୋରି ହେବାର ଆଶଙ୍କା ଥିବାରୁ ଏଯାଏଁ ଲଗାଯାଇନାହିଁ। ଦୂର୍ଗାପୂଜା ପରେ ସୂଚନା ଫଳକ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରାସ୍ତା ନିର୍ମାଣର ଗୁଣବତ୍ତା ଓ ସୂଚନା ଫଳକ ନଥିବାକୁ ନେଇ ଉଠିଥିବା ଅଭିଯୋଗ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିରପେକ୍ଷ ଯାଞ୍ଚ କରାଯିବାକୁ ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande