
ମାଲକାନଗିରି ,୯ ଅକ୍ଟୋବର (ହି.ସ.) - ଦଶହରା ଅବସରରେ ମୋବାଇଲ କିଣିଲେ ଲକି ଡ୍ର' ଜରିଆରେ ଦାମୀ କାର, ବାଇକ, ଟିଭି ଓ ଫ୍ରିଜ୍ ପର୍ଯ୍ୟନ୍ତ ପୁରସ୍କାର ଅଫରକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। କାଲିମେଳା ର ତାପସ ମୋବାଇଲ ଦୋକାନ ପକ୍ଷରୁ ଏଭଳି ଅଫର ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଫର କେବଳ ଗୋଟିଏ ଦୋକାନର ନୁହେଁ, ଜିଲ୍ଲାର ଅନ୍ୟ କେତେକ ଦୋକାନରେ ମଧ୍ୟ ଚାଲିଛି। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଏସପି ରାଜକିଶୋର ଦାଶ।
ଅଭିଯୋଗ ଅନୁଯାୟୀ, ତାପସ ମୋବାଇଲ ଦୋକାନରୁ ୧୦ ହଜାର ଟଙ୍କା କିମ୍ବା ଅଧିକ ଦାମର ମୋବାଇଲ କିଣିଲେ ଗ୍ରାହକଙ୍କୁ ଏକ କୁପନ ଦିଆଯାଉଛି। କୁପନ ମାଧ୍ୟମରେ ଲକିଡ୍ରରେ ବିଭିନ୍ନ ଦାମୀ ସାମଗ୍ରୀ ଜିତିବା ସୁଯୋଗ ରହିଥିବା କୁହାଯାଉଛି। ଏସମ୍ପର୍କରେ ଏଏସପି ଶ୍ରୀ ଦାଶ କହିଛନ୍ତି, ଦୋକାନର ପ୍ରଚାର ପାଇଁ ଗ୍ରାହକଙ୍କୁ ଉପହାର ଦିଆଯାଇପାରେ। କିନ୍ତୁ ନିର୍ଦ୍ଦିଷ୍ଟ ମୂଲ୍ୟର ସାମଗ୍ରୀ କିଣିଲେ ଲଟେରୀ କୁପନ ଦେବା ବେଆଇନ । ଏଭଳି କାର୍ଯ୍ୟ ବିରୋଧରେ ଆଇନଗତ ପଦକ୍ଷେପ ବ୍ୟବସ୍ଥା ରହିଛି। କାଲିମେଳାର ଅଭିଯୋଗକୁ ନେଇ ଯାଂଚ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଲକିଡ୍ରରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଦିଆଯାଉଥିବା ବେଳେ ଏହାର ଆର୍ôଥକ ଉତ୍ସ ଓ ବ୍ୟବସାୟିକ ହିସାବକୁ ନେଇ ଜନସାଧାରଣ ପ୍ରଶ୍ନ କରିଛନ୍ତି। ଏଭଳି ଅଫର ଦେଉଥିବା ଦୋକାନର ବ୍ୟବସାୟିକ କାରବାର ଓ ଆଇନଗତ ବୈଧତା ଯାଂଚ କରିବାକୁ ଦାବି ହୋଇଛି। ଏପରିକି ଏହି ଦୋକାନ ରେ ଅଫର ପରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗି ରହୁଛି । ଦୋକାନ ସମ୍ମୁଖ ଜାତୀୟ ରାଜପଥରେ ଗାଡି ଗୁଡିକ ରହିବାରୁ ରାସ୍ତା ଅଧିକାଂଶ ସମୟରେ ଯାମ ରହୁଛି । ଏଥିପ୍ରତି ସ୍ଥାନୀୟ ପୋଲିସ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ