
ଜୟପୁର, ୯ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଜାମୁଣ୍ଡା ଗ୍ରାମ ପଞ୍ଚାୟତରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳା । ଜାମୁଣ୍ଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ସ୍ଥାନରେ ଚୋରାରେ ସରକାରୀ, ପାଉଚ ମଦ ଓ ଦେଶୀ ମଦ ବିକ୍ରି ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। କିନ୍ତୁ, ବାରମ୍ବାର ଏନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଏନେଇ ଜାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ମନଧର ଗାଦବାଙ୍କୁ ମହିଳା ମାନେ ଅଭିଯୋଗ କଲାପରେ ଶ୍ରୀ ଗାଦବାଙ୍କ ନେତୃତ୍ୱରେ ସାରା ପଞ୍ଚାୟତରେ ଏକ ମଦ ବିରୋଧୀ ଅଭିଯାନ ଆରମ୍ଭ କରି ଆନ୍ଦୋଳନ ମାଧ୍ୟମରେ ମଦ ବିକୁଥିବା ଲୋକଙ୍କୁ ମଦ ବିକ୍ରି ପାଇଁ ବାରଣ କରାଯାଇଥିଲା । ଯୁବପିଢି ଓ ନାବାଳକଙ୍କୁ ଚୋରାରେ ମଦ ବିକ୍ରି କରାଯାଉଥିବାରୁ ଚୋରି ଓ ରାହାଜାନୀ ବଢ଼ିଥିବା ଶ୍ରୀ ଗାଦବା ଅଭିଯୋଗ କରିଛନ୍ତି। ମଦ ପିଇ ରାସ୍ତାରେ ଅତ୍ୟଧିକ ବେଗରେ ଗାଡ଼ି ଚାଲୁଥିବାରୁ ଗତ ଦୁଇ ବର୍ଷରେ ୫ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଠାରୁ ଖୁଚୁରାରେ ମଦ ଆଣି ଗ୍ରାମର ବିଭିନ୍ନ ସ୍ଥାନରେ ବିକ୍ରି କରିବା ତଥା ବିହାରୀ ପୋଚ ମଦର ମାନଦେୟକୁ ଅନେକ ଆଶଙ୍କା କରାଯାଉଛି। ବିହାରୀ ଭାଟିର ପୋଚ ମଦର ଏକ୍ସପାଏରୀ ତାରିଖ ପରେ ବି ବିକ୍ରି ହେବା ନେଇ ବାରମ୍ବାର ଅଭିଯୋଗ ପରେ ଜାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜେ ମଦ ବନ୍ଦ କରିବା ନେଇ ଅଣ୍ଟା ଭିଡ଼ିଛନ୍ତି। ସାଥୀରେ ୫୦୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଧରି ଜାମୁଣ୍ଡା ଗ୍ରାମ ପଞ୍ଚାୟତର ୧୯ଟି ଗ୍ରାମରେ ବୁଲିବା ସହ ମଦ ବିରୋଧୀ ସଚେତନତା ସହ ମଦ ବିକୁଥିବା ଲୋକଙ୍କୁ ମଦ ବିକ୍ରିରୁ ବିରତ ରହିବାକୁ ଚେତାବନୀ ଦିଆଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି