
କୁଚିଣ୍ଡା/ସମ୍ବଲପୁର/ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ.)- ନବଜାତ ଶିଶୁ ଓ ଗର୍ଭବତୀ ମା’ଙ୍କ ସୁସ୍ଥ ଶରୀର ପାଇଁ ଯତ୍ନ ନେବା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ ବୋଲି ଶୁକ୍ରବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୁଚିଣ୍ଡା ଗସ୍ତ ଅବସରରେସେବା ସଂକଳ୍ପ ଅଭିଯାନ' ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି କୁଚିଣ୍ଡା ଠାରେ ନବନିର୍ମିତ ଅଡିଟୋରିୟମ୍ ଏବଂ ସାଂସ୍କୃତିକ କେନ୍ଦ୍ର' ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଉଦ୍?ଘାଟନ କରିଥିଲେ । ସାଂସ୍କୃତିକ କେନ୍ଦ୍ର ସହ ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ଜନହିତକର ପ୍ରକଳ୍ପଗୁଡ଼ିକ କୁଚିଣ୍ଡାକୁ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ । ଏହାପରେ ସାଂସଦ ଶ୍ରୀ ପ୍ରଧାନ କୁଚିଣ୍ଡା ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ପର୍କରେ ପଚାରି ବୁଝିଥିଲେ । ସେବା ସଂକଳ୍ପ ଅଭିଯାନ' ଅନ୍ତର୍ଗତ ଆଙ୍ଗନ ମିଲନ' ଉତ୍ସବରେ ଅଙ୍ଗନବାଡ଼ି, ଆଶା କର୍ମୀ, ସ୍ଥାନୀୟ ମା’ମାନେ ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ସେ ସିଧାସଳଖ ଭାବ ବିନିମୟ କରିଥିଲେ । ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ସହ ସେମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାରେ ଆମର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ନିଷ୍ଠାପର ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ।
ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ପୋଷଣ ମାଧ୍ୟମରେ ସୁସ୍ଥ ପରିବାର, ସ୍ୱଚ୍ଛତା ମାଧ୍ୟମରେ ସୁସ୍ଥ ପରିବେଶ ଏବଂ ନିଶାମୁକ୍ତ ସମାଜ ମାଧ୍ୟମରେ ସୁରକ୍ଷିତ ଭବିଷ୍ୟତ, ଏହି ତିନୋଟି ସଂକଳ୍ପକୁ ଆମକୁ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଜାଗ୍ରତ କରିବାକୁ ହେବ । ଏହି ସଂକଳ୍ପଗୁଡ଼ିକୁ ଏକ ବିଶାଳ ଜନଆନ୍ଦୋଳନରେ ପରିଣତ କଲେ ହିଁ ବିକଶିତ ଓଡ଼ିଶା' ଏବଂ ବିକଶିତ ଭାରତ'ର ସ୍ୱପ୍ନ ପୂରଣ ହୋଇପାରିବ । କୁଚିଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ଏବଂ ଉତ୍ତମ ରାସ୍ତାଘାଟ ନିର୍ମାଣ କରି କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧପରିକର ବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା