
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ.)- ରାଜ୍ୟ ଓ ରାଜ୍ୟ ବାହାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧ୍ୟୟନ କରୁଥବା ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଠ କରିଛି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍ । ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ (ଓଏସଏଡ଼ିଏମ ) ତତ୍ୱାବଧାନରେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ କାର୍ଯ୍ୟ ର ଅନୁଭବରୁ ଶିକ୍ଷା ଲାଭ କରିବା ନିମନ୍ତେ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଜାଭିୟର ମ୍ୟାନେଜମେଂଟ ବିଶ୍ୱବିଦ୍ୟାଳୟର ଚାଳିଶ ଜଣ ଛାତ୍ର ଛାତ୍ରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ (ଓଏସଏଡ଼ିଏମ ) କାର୍ଯ୍ୟାଳୟକୁ ଗ୍ରସ୍ତ କରିଛନ୍ତି।
ଏହି ପରିଦର୍ଶନ ସମୟରେ ଓସଡମାର ଉପଦେଷ୍ଟା ଡ. କମଳ ଲୋଚନ ମିଶ୍ର, ୧୯୯୯ ମସିହାର ମହାବାତ୍ୟା ପରଠାରୁ ବିଗତ ୨୫ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳ ଯାତ୍ରା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ବିପର୍ଯ୍ୟୟର ପ୍ରାକ୍-ସୂଚନା , ପୂର୍ବପ୍ରସ୍ତୁତି , ସ୍ଥାନାନ୍ତରଣ , ସମୁଦାୟ-ଆଧାରିତ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଆଧୁନିକ ବୈଷୟିକ ଜ୍ଞାନ ଓ ତଥ୍ୟ-ଆଧାରିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାର ଅଭିଜ୍ଞତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ବିଶେଷକରି ବାତ୍ୟା, ବନ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଗ୍ରହଣ କରିଥିବା ପ୍ରସ୍ତୁତିମୂଳକ ପଦକ୍ଷେପ, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ଜନସାଧାରଣଙ୍କ ସ୍ଥାନାନ୍ତରଣ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସମ୍ପର୍କରେ ସରକାରଙ୍କର ତରଫରୁ ନିଆଯାଉ ଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇ ଥିଲେ। ଏଥି ସହିତ ଶ୍ରୀଯୁକ୍ତ ମିଶ୍ର ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ବିପର୍ଯ୍ୟୟ ପରିଚାଳନା କେବଳ ପୁସ୍ତକୀୟ ଜ୍ଞାନ ନୁହେଁ ବରଂ ପ୍ରକୃତ ପରିସ୍ଥିତିକୁ ସାମ୍ନା କରିବା ସହିତ ବିପର୍ଯ୍ୟୟ ପରିଚାଳନାର ଅଭିଜ୍ଞତା ଓ ଭୁଲ୍ ରୁ ଶିଖିବା ହେଉଛି ଜୀବନର ଏକ ମାଇଲ ଖୁଂଟ। ଛାତ୍ର ଛାତ୍ରୀ ମାନେ ବିପର୍ଯ୍ୟୟ ପରିଚାଳନା ର ବିଭିନ୍ନ ଦିଗ ଉପରେ ନିଜର ସନ୍ଦର୍ଭ ପ୍ରସ୍ତୁତି କରିବା ସହିତ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳକୁ ବିପର୍ଯ୍ୟୟ ପରିଚାଳନା ଦିଗରେ ଅଧିକରୁ ଅଧିକ ଅଧ୍ୟୟନ କରିବା ନିତ୍ୟାନ୍ତ ଜରୂରୀ ବୋଲି ପରାମର୍ଶ ଦେଇଥିଲେ। ଏହିପରି ଶିକ୍ଷଣୀୟ ପରିଭ୍ରମଣ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନାର ସଚେତନତା ଓ ବିପର୍ଯ୍ୟୟ କୁ ମୁକାବିଲା କରିବାର ପ୍ରସ୍ତୁତି ବଢ଼ିବା ସହ ଭବିଷ୍ୟତରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଗଠନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା