
ଭୁବନେଶ୍ୱର, ୯
ଅକ୍ଟୋବର (ହି.ସ.)। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ
ଶୁକ୍ରବାର ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ
ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ସହ ସମ୍ପୃକ୍ତ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ ଆରମ୍ଭ
କରାଯାଇଛି। ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରେ ଏହି ଚଢ଼ାଉ ଚାଲିଛି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ
ଜାରି ଔପଚାରିକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ,
ଏହି ଚଢ଼ାଉ ପାଇଁ ଜଣେ ଅତିରିକ୍ତ ଏସ୍ପି, ଚାରି ଜଣ
ଡିଏସ୍ପି, ୧୩ ଜଣ
ଇନ୍ସପେକ୍ଟର, ପାଞ୍ଚ ଜଣ ଏଏସ୍ଆଇ ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ବିଭିନ୍ନ
ଟିମ୍ ଗଠନ କରାଯାଇଛି। ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ
ୱାରେଣ୍ଟ ଆଧାରରେ ଏହି ତଲାସି ଅଭିଯାନ ଚାଲିଛି।
ଭିଜିଲାନ୍ସ ଟିମ୍
ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଶ୍ରାବଣୀ ରେସିଡେନ୍ସିର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍
ନମ୍ବର-୮ରେ ତଲାସି କରୁଛନ୍ତି। ଏହା ସହିତ ମଞ୍ଚନାଥ ଭିଲାର ଫେଜ୍-୨ରେ ଥିବା ଏମ୍-୧୦୫, ଏମ୍-୧୧୦
ଏବଂ ଏମ୍-୧୧୫ ନମ୍ବର ବିଶିଷ୍ଟ ତିନୋଟି ଦୁଇ ମହଲା ବିଶିଷ୍ଟ ଆବାସିକ ଘରର ମଧ୍ୟ ଯାଞ୍ଚ
କରାଯାଉଛି।
ଭୁବନେଶ୍ୱରର
ବାଲିଅନ୍ତାସ୍ଥିତ ପାତ୍ରଙ୍କ ଅନ୍ୟ ଏକ ଆବାସିକ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ଏଥିସହ
ସୁନ୍ଦରଗଡ଼ସ୍ଥିତ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ
କାର୍ଯ୍ୟାଳୟ କକ୍ଷ ଏବଂ ସୁନ୍ଦରଗଡ଼ ସହରରେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ
ବାସଭବନରେ ମଧ୍ୟ ତଲାସି ଚାଲିଛି।
ଏହି ଚଢ଼ାଉ ପରିସରରେ କଟକ
ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘର ପକ୍ଷର ଏକ
ଆବାସିକ ଘର ମଧ୍ୟ ସାମିଲ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା