
ଖୋର୍ଦ୍ଧା, ୧୬ ନଭେମ୍ବର (ହି.ସ.) - ଜିଲ୍ଲାର ୧୮୫ ପଂଚାୟତର ୧୨୬୧ ରାଜସ୍ୱ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗତକାଲି ଘୋଷଣା କରାଯାଇଛି। ଓଡ଼ିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସମାଜ ମଙ୍ଗଳ ସଂଗଠନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ବାଲ୍ୟ ବିବାହ ମୁକ୍ତ ଭରତ ଅଭିଯାନରେ ୧୨୬୧ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ଏକ ଘରୋଇ ସାମାଜିକ ଅନୁଷ୍ଠାନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସମସ୍ତ କର୍ମୀ ପ୍ରାୟ ୨ ବର୍ଷ କାଳ ଅକ୍ଲାନ୍ତ ପରିଶ୍ରମ କରି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ନିତି ନିର୍ଦ୍ଧେଶ ଅନୁଯାୟୀ ଏହି ଗ୍ରାମଗୁଡ଼ିକରେ ୬ ରୁ ୧୪ ବର୍ଷର ସମସ୍ତ ଶିଶୁ ସ୍କୁଲକୁ ଯାଉଛନ୍ତି, ୧୧ ରୁ ୧୯ ବର୍ଷର ସମସ୍ତ କିଶୋର କିଶୋରୀ ଅଙ୍ଗନୱାଡି ର ଅଦ୍ୱିକା କାର?୍ୟକ୍ରମରେ ପଞ୍ଜୀକୃତ ହୋଇଥିବା ବେଳେ ଗତ ଜାନୟାରୀ ୨୦୨୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ବାଲ୍ୟ ବିବାହ ହୋଇନାହିଁ। ତେଣୁ ଭାରତ ସରକାରଙ୍କ ନିର୍ଦ୍ଧେଶ ନାମା ଅନୁସାରେ ଗତ ଅକ୍ଟୋବର ୨ ତାରିଖରେ ଅନୁଷ୍ଠିତ ଗ୍ରାମ ସଭାଗୁଡିକରେ ବିଧି ବଧ ଭାବେ ରିଯୋଲୁସନ୍ କରାଯାଇ ଏହି ଘୋଷଣା କରାଯାଇଛି।ଅନ୍ୟତମ ଅତିଥି ଭାବେ ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ୱାର୍ଲ୍ଡ ନୂଆଦିଲ୍ଲୀର ଜାତୀୟ ସଚିବ ଓମ୍ ପ୍ରକାଶ ପାଲ କହିଲେ ବିଶ୍ୱକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ହେଲେ ସମାଜର ସମସ୍ତ ବ୍ୟକ୍ତି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କର ଭାଗିଦାରିତା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨୭ ତାରିଖକୁ ଆର୍ନ୍ତଜାତୀକ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ପାଳନ କରିବାକୁ ମିଳିତ ଜାତିସଂଘର ପ୍ରୟାସ ପାଇଁ ସେ ଜଷ୍ଟ୍ ରାଇଟ୍ସ ଫର୍ ଚିଲ୍ଡରେନ ର ପ୍ରତିଷ୍ଠାତା ଭୁବନ ରିଭୁ ଓ ଭାରତ ସରକାରଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୁଚିକା ସମାଜ ମଙ୍ଗଳ ସଂଗଠନ ର ସମ୍ପାଦକ ଉମ୍ମା ଶଙ୍କର ଷଡ଼ଙ୍ଗୀ କହିଲେ ବାଲ୍ୟ ବିବାହ ଏକ ସାମାଜିକ ଅପରାଧ। ରୁଢ଼ିବାଦୀ ସମାଜ ରେ କନ୍ୟା ରତ୍ନ ମାନଙ୍କୁ ଏକ ଶୃଙ୍ଖଳା ମଧ୍ୟରେ ବନ୍ଦୀ କରି ସେମାନଙ୍କ ଶିକ୍ଷା ଓ ଅଧିକାରକୁ ସେମାନଙ୍କ ଠାରୁ ଏହା ଦ୍ୱାରା ବଳ ପୂର୍ବକ ଛଡ଼ାଇ ନିଆଯାଉଛି। ତେଣୁ କେବଳ ଜନ ସଚେତନତା ନୁହେଁ ଆଇନ ଗତ କଠୋର କାର୍ଯ୍ୟାନୁଷ୍ଠାନ ଓ ପ୍ରଗତିଶୀଳ ନାରୀ ଶିକ୍ଷା ଏହାକୁ ରୋକିପାରିବ। ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୬ ଅନୁସାରେ ଓଡ଼ିଶାରେ ୧୮.୬ % ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ଶତକଡା ୧୪% ରୁ ଅଧିକ ପିଲା ବାଲ୍ୟ ବିବାହ କରୁଛନ୍ତି। ଏହି ସମସ୍ୟାକୁ ଜିଲ୍ଳା ପ୍ରଶାସନ ସହ ମିଶି ଆମେ ୨୦୩୦ ମସିହା ସୁଧା ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ସହାୟତା ରେ ଶୂନ୍ୟ କରିପାରିବୁ ବୋଲି ଘରୋଇ ସାମାଜିକ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ସେନାପତି ଦୃଢକ୍ତି ପ୍ରକାଶ କରିଛନ୍ତି। ବାଲ୍ୟ ବିବାହ ଭଳି ଏକ ସାମାଜିକ ଅପରାଧକୁ କୌଣସି ପ୍ରକାରେ ବାରଦସ୍ତ କରାଯାଇପାରିବ ନାହିଁ ବୋଲି ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ ପ୍ରହରାଜ ଓ ଧନ୍ୟବାଦ ଅର୍ପଣ କରିଥିଲେ ସୁରକ୍ଷା ଅଧିକାରୀ ସୌଦାମିନ ଦାସ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୨୦୦ ରୁ ଅଧିକ ସରପଂଚ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲ୍ୟ ବିବାହ ନିରୋଧ ଅଧିକାରୀ, ବ୍ଲକ୍ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଶେଷରେ ଆର୍ନ୍ତଜାତୀୟ ବାଲ୍ୟ ବିବାହ ନିରୋଧ ଦିବସ ଉପଲକ୍ଷେ ଏକ ୧୦୦ ଦିନିଆ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରାକେଶ