
Bhubaneswar, 16 ନଭେମ୍ବର (ହି.ସ.)
ଆଜି ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ ବରିଷ୍ଠ ବିଜେଡି ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ । ପ୍ରଥମେ ଭୋଗରାଇର ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମନ୍ଦିର ନିକଟରୁ ଥାନା ଛକ ହେଲିପ୍ୟାଡ୍ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ ।
ଭୋଗରାଇ ଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ବିଜେଡି ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ରାଜ୍ୟର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ଓଡ଼ିଶାବାସୀ, ବିଶେଷକରି ଭୋଗରାଇ ଓ ବାଲେଶ୍ୱରବାସୀଙ୍କୁ ବିକାଶ ଓ ଜନକଲ୍ୟାଣର ଯେଉଁ ପ୍ରତିଶ୍ରୁତି ବିଜେପି ଦେଇଥିଲା, ତାର ବାସ୍ତବ ରୂପ କେଉଁଠି ବି ଦେଖିବାକୁ ମିଳୁନାହିଁ । ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା ।
ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ଜଳେଶ୍ୱରରେ ଜଣେ ନାବାଳିକାଙ୍କ ସହ ଘଟିଥିବା ଦୁଃଖଦ ଘଟଣା ମୋତେ ମର୍ମାହତ କରିଛି । ଏହି ଘଟଣାରେ ସରକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ ଓଡ଼ିଶାବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତୁ ସରକାର । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ନିରନ୍ତର ଲଢ଼େଇ ଜାରି ରଖିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା