
ଜୟପୁର, ୧୬ ନଭେମ୍ବର (ହି.ସ.)- ଜୟପୁର ସହରରେ ବଢୁଥିବା ଚୋରି, ଲୁଟ୍ ଓ ଡକାୟତି ବିରୋଧରେ ଆଜି ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି ବିଜେଡି । ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ରବି ନାରାୟଣ ନନ୍ଦଙ୍କ ଆହ୍ୱାନ କ୍ରମେ ଏହି ଧାରଣା ଦିଆଯାଇଛି । ଦିନକୁ ଦିନ ଜୟପୁର ସହରରେ ଲୁଟ୍, ଚୋରି ଓ ବିଭିନ୍ନ ଅପରାଧିକ ଘଟଣା ବଢୁଛି । ଜୟପୁର ସହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ନେଇ ଟାଉନ ଥାନାରେ ଗତ ଶନିବାର ଅଭିଯୋଗ ହୋଇଛି । ଜୟପୁର ସହର ଲିଙ୍ଗରାଜ ନଗର ୧୭ ନମ୍ବର ଲାଇନରେ ସତ୍ୟ ନାରାୟଣ ଦଳାଇ ରହୁଛନ୍ତି । ରାତ୍ର ସମୟରେ ଦୁର୍ବୃତ୍ତ ମାନେ କବାଟ ପିଟି ଘର ଭିତରେ ପଶିଥିଲେ । ଦୁର୍ବୃତ୍ତ ମାନେ ସତ୍ୟ ନାରାୟଣଙ୍କୁ କାବୁ କରି ହାତଗୋଡ ବାନ୍ଧି ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିଲେ । ଉପର ମହଲାରୁ ପୁଅ ବୋହୂ ଆସିବାରୁ ବୋହୁ ଓ ପୁଅକୁ ମାଡ ମାରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ସ୍ଥାନରେ ବନ୍ଧକ ରଖି ଲୁଟ କରିଥିଲେ । ଦୁର୍ବୃତ୍ତମାନେ ଘରେ ଥିବା ୧୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା, ୪ଶହ ଗ୍ରାମର ସୁନା ଗହଣା, ଅଧା କିଲୋ ଓଜନର ପୁଜା ଘରେ ଥିବା ରୁପା ଜିନିଷ ଲୁଟ କରିଥିଲେ । ଲୁଟ ହୋଇଥିବା ସୁନାଗହଣା ଓ ଟଙ୍କାର ଆନୁମନିକ ମୁଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପରିବାର ଲେକୋ ସୂଚନା ଦେଇଛନ୍ତି । ଦୁର୍ବୃତ୍ତମାନେ ପାଚେରି ଡେଇଁ ଘର ଭିତରେ ପଶିଥିଲେ । ପରେ ଦୁର୍ବୃତ୍ତମାନେ ଯିବା ପରେ ୧୧୨ ରେ ପୋଲିସକୁ ସତ୍ୟ ନାରାୟଣ ସୂଚନା ଦେଇଥିଲେ ।ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିଟ ଟିମ୍ ତଦନ୍ତ କରି ଫେରିଛି । ଏନେଇ ଜୟପୁର ଟାଉନ ଥାନାରେ ସତ୍ୟ ନାରାୟଣଙ୍କ ସାନ ପୁଅ ଦେବି ପ୍ରସାଦ ଦଳାଇ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପରିବାର ଭିତରେ ଭୟର ବାତା ବରଣ ଦେଖାଯାଇଛି । ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଲୁଟ ସୁନା ଟଙ୍କାକୁ ଜବତ କରିବାକୁ ଦାବି କରିଛନ୍ତି । ଏହି ଗୋଟିଏ ଘଟଣା ନୁହଁ ପ୍ରତ୍ୟେକ ଦିନ ଚୋରି ଡକାୟତି ହେଉଛି । ଜୟପୁର ସହର ବାସୀଙ୍କ ଧନ ଜୀବନକୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହୋଇଛି । ଏହି ଘଟଣାର ପ୍ରତିବାଦରେ ଟାଉନ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି ବୋଲି ଜୟପୁର ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି । ଅପରାଧକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ବିଜେଡି ନେତାମାନେ ଅଭିଯୋଗ କରିଥିଲେ । ଏନେଇ ଏସଡିପିଓଙ୍କ ଉଦ୍ଦେଶ୍ୟରେ ଜୟପୁର ଟାଉନ ଥାନାରେ ଦାବି ପତ୍ର ପ୍ରଦାନ କରିଥିଲେ । ଗତ ୬ ମାସ ଭିତରେ ଡତାୟତି, ଚୋରି ବାରମ୍ବାର ଘଟୁଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୟପୁର ସହରର ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୋଲିସ କର୍ମଚାରି ମୁତୟନ କରିବା, ପେଟ୍ରୋଲିଂକୁ କଡାକଡି କରିବା, ଅଭ୍ୟାସଗତ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବି କରାଯାଇଛି । ଏହି ବିକ୍ଷୋଭ ଧାରଣାରେ ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗା ମିଶ୍ର, ସୂର୍ଯ୍ୟ ନାରୟଣ ରଥ, ବାଲା ରାୟ, ନାଗୁ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି