
ଢାକା (ବାଂଲାଦେଶ), ୧୬ ନଭେମ୍ବର (ହି.ସ.)। ବାଂଲାଦେଶର ଗୋପାଳଗଞ୍ଜ ଜିଲ୍ଲାର ତୁଙ୍ଗିପାଡ଼ା ଉପଜିଲ୍ଲାରେ ରବିବାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଏବଂ ଏହା ସହ ଜଡ଼ିତ ସଂଗଠନଗୁଡ଼ିକର ଅନେକ ନେତା ଓ ସମର୍ଥକଙ୍କ ଘର, ପାର୍ଟି କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଭଙ୍ଗାରୁଜା କରାଯିବା ସହ ସେଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଛି। ବିଏନ୍ପି ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ଅପରାହ୍ଣରୁ ଉପଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଷିଦ୍ଧ ଅବାମୀ ଲିଗ୍, ଯୁବ ଲିଗ୍ ଏବଂ ଛାତ୍ର ଲିଗ୍ର କର୍ମୀମାନେ ଏହି ଆକ୍ରମଣ କରିଛନ୍ତି।
ଢାକା ଟ୍ରିବ୍ୟୁନ୍ର ରିପୋର୍ଟ ଅନୁଯାୟୀ, ଅପରାହ୍ଣ ପ୍ରାୟ ୨ଟା ସମୟରେ ଡୁମୁରିଆ ୟୁନିୟନର ପାକୁରିଆ ବଜାରରେ ଅବାମୀ ଲିଗ୍ ଏବଂ ଏହା ସହ ଜଡ଼ିତ ସଂଗଠନର କର୍ମୀମାନେ ଏକ ଶୋଭାଯାତ୍ରା କରିଥିଲେ। ଏହାପରେ ସେମାନେ ପାକୁରିଆ ମଦ୍ରାସା ନିକଟରେ ଥିବା ବିଏନ୍ପି ସମର୍ଥକଙ୍କ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଥିଲେ। ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟ୍ରେ ଆଉ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ପାଟଗାତି ବଜାରରେ ଯୁବ ଦଳର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପରେ ସେଥିରେ ନିଆଁ ଲଗାଇ ଦିଆଯାଇଥିଲା।
ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଆକ୍ରମଣକାରୀମାନେ ଶ୍ରୀରାମକାଣ୍ଡିରେ ଉପଜିଲ୍ଲା ସ୍ୱେଚ୍ଛାସେବକ ଦଳର ପୂର୍ବତନ ସଂଯୋଜକ ଜସିମ ଶେଖଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହାର ଏକ ଘଣ୍ଟା ପରେ ଗବରଡାଙ୍ଗାର ଚୌରଙ୍ଗୀ ଛକରେ ବିଏନ୍ପି ସମର୍ଥକ ମହମୁଦ ବିଶ୍ୱାସଙ୍କ ଏକ ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା। ସେହି ସମୟରେ ତୁଙ୍ଗିପାଡ଼ା ବଜାରରେ ନଗର ବିଏନ୍ପିର ସାଂଗଠନିକ ସମ୍ପାଦକ ଅବୁ ଜାଫର ଖାନଙ୍କ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।
ପରେ ରାତି ପ୍ରାୟ ୮ଟା ସମୟରେ ପାଟଗାତି ବଜାରରେ ନଗର ବିଏନ୍ପି ସଭାପତି ଇମଦାଦ ମୋଲ୍ଲାଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦିଆଯାଇଥିଲା। ସେହି ସମୟରେ ନଗର ବିଏନ୍ପିର ସାଂଗଠନିକ ସମ୍ପାଦକ ଗୋପାଳ ସରକାରଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା