
ହରିଦ୍ୱାର, ୧୬ ନଭେମ୍ବର (ହି.ସ.)- ହରିଦ୍ୱାରରେ କୁମ୍ଭ-୨୦୨୭ ପୂର୍ବରୁ ଅଖାଡ଼ା ପରିଷଦର ଉଭୟ ଗୋଷ୍ଠୀ ଗୋଟିଏ ମଂଚକୁ ଆସିବା ପରେ ଏବେ ଆଭ୍ୟନ୍ତରୀଣ ବିବାଦଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୋମବାର ଉତର ହରିଦ୍ୱାରସ୍ଥିତ ମିଶ୍ରୀ ମଠରେ ଅଖିଳ ଭାରତୀୟ ଅଖାଡ଼ା ପରିଷଦର ଅଧ୍ୟକ୍ଷ ତଥା ନିରଞ୍ଜନୀ ଅଖାଡ଼ାର ସଚିବ ଶ୍ରୀମହନ୍ତ ଡଃ ରବୀନ୍ଦ୍ର ପୁରୀ ମହାରାଜ ଅଖାଡ଼ା ପରିଷଦର ଅନ୍ୟ ଗୋଷ୍ଠୀର ଜାତୀୟ ଗଣମାଧ୍ୟମ ସଂଯୋଜକ ମହାମଣ୍ଡଳେଶ୍ୱର କରୌଲି ଶଙ୍କର ମହାରାଜଙ୍କ ସହ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ରବିବାର ଅଖାଡ଼ା ପରିଷଦର ଉଭୟ ଗୋଷ୍ଠୀର ଅଧ୍ୟକ୍ଷ ଗୋଟିଏ ମଂଚରେ ନଜର ଆସିଥିଲେ।
ସଂଯୋଗବଶତଃ ଅଖାଡ଼ା ପରିଷଦର ଉଭୟ ଗୋଷ୍ଠୀର ଅଧ୍ୟକ୍ଷଙ୍କ ନାମ ଶ୍ରୀମହନ୍ତ ରବୀନ୍ଦ୍ର ପୁରୀ। ଏହାଦ୍ୱାରା ସାଧୁସନ୍ଥ ସମାଜ ମଧ୍ୟରେ ଏକତାର ଏକ ସକାରାତ୍ମକ ବାର୍ତା ଯାଇଥିଲା। ୧୩ଟି ଅଖାଡ଼ାକୁ ଏକଜୁଟ କରିବା ପରେ ଏବେ ପରିଷଦ ନୂଆ ଉଦାସୀନ ଅଖାଡ଼ା, ବଡ଼ ଉଦାସୀନ ଅଖାଡ଼ା ଏବଂ ନିର୍ମଳ ଅଖାଡ଼ା ମଧ୍ୟରେ ଚାଲିଥିବା ମତଭେଦ ଦୂର କରିବାରେ ଲାଗିଛି।
ମହନ୍ତ ଡଃ ରବୀନ୍ଦ୍ର ପୁରୀ କହିଛନ୍ତି ଯେ, ଏହି ତିନୋଟି ଅଖାଡ଼ାରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୋଷ୍ଠୀବିବାଦ ଲାଗି ରହିଛି। ସେ କହିଛନ୍ତି ଯେ, ଅଖାଡ଼ା ପରିଷଦର ଉଭୟ ଗୋଷ୍ଠୀ ଏବେ ଏକଜୁଟ ହୋଇ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି। କୁମ୍ଭ ପୂର୍ବରୁ ଅଖାଡ଼ାଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସଦ୍ଭାବନା ସ୍ଥାପନ କରାଯିବ, ଯାହାଦ୍ୱାରା ସାଧୁସନ୍ଥ ସମାଜ ଏକଜୁଟ ହୋଇ ଦିବ୍ୟ ଓ ଭବ୍ୟ କୁମ୍ଭରେ ନିଜର ଭୂମିକା ନିର୍ବାହ କରିପାରିବେ।
ଅଖାଡ଼ା ପରିଷଦର ଅନ୍ୟ ଗୋଷ୍ଠୀର ଜାତୀୟ ଗଣମାଧ୍ୟମ ସଂଯୋଜକ ମହାମଣ୍ଡଳେଶ୍ୱର କରୌଲି ଶଙ୍କର ମହାରାଜ କହିଛନ୍ତି ଯେ, ସାଧୁସନ୍ଥ ସମାଜର ଏକତା ଏବଂ ଅଖାଡ଼ାଗୁଡ଼ିକର ଗାରିମା ସର୍ବୋଚ୍ଚ ପ୍ରାଥମିକତା। ଯେଉଁଭଳି ଅଖାଡ଼ା ପରିଷଦର ଉଭୟ ଗୋଷ୍ଠୀ ଏବଂ ସମସ୍ତ ୧୩ଟି ଅଖାଡ଼ା ଏକଜୁଟ ହୋଇଛନ୍ତି, ସେହିଭଳି ଆଭ୍ୟନ୍ତରୀଣ ବିବାଦଗୁଡ଼ିକୁ ମଧ୍ୟ ଆଲୋଚନା ମାଧ୍ୟମରେ ଦୂର କରି ସମସ୍ତ ସନ୍ଥଙ୍କୁ ଗୋଟିଏ ମଂଚକୁ ଅଣାଯିବ।
ଅଖାଡ଼ା ପରିଷଦର ଉଭୟ ଗୋଷ୍ଠୀ ଏକଜୁଟ ହେବା ଫଳରେ ମେଳା ପ୍ରଶାସନକୁ ମଧ୍ୟ ଆଶ୍ୱସ୍ତି ମିଳିଛି। ଦୀର୍ଘଦିନ ଧରି ଚାଲିଥିବା ଟଣାଓଟରା ମେଳା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏବେ ସମନ୍ୱୟ ବୃଦ୍ଧି ପାଇବାରୁ କୁମ୍ଭର ପ୍ରସ୍ତୁତି କାର୍ଯ୍ୟକୁ ଗତି ମିଳିବା ଆଶା କରାଯାଉଛି। ଏହି ଅବସରରେ ମହନ୍ତ ଋଷିଶ୍ୱରାନନ୍ଦ, ମହନ୍ତ ଶଙ୍କରାନନ୍ଦ ମହାରାଜ, ଡଃ ଉମେଶ ସଚାନ, ଅନିରୁଦ୍ଧ ଭାଟି ପ୍ରମୁଖ ଉପସ୍ଥିତ ଥିଲେ।
------------
ହିନ୍ଦୁସ୍ଥାନ ସମାଚାର / ଗଗନ