ବିରୂପାକ୍ଷ ନିଖୋଜ ଘଟଣା : ବୌଦ୍ଧ ବଣିକ ସଂଘ ନେତୃତ୍ଵରେ ୬ଟି ସଂଗଠନର ବିକ୍ଷୋଭ ଶୋଭାଯାତ୍ରା, ଆରକ୍ଷୀ ଅଧିକାରୀଙ୍କୁ ଦେଲେ ଦାବିପତ୍ର
ବିରୂପାକ୍ଷଙ୍କୁ ଶୀଘ୍ର ଉଦ୍ଧାର ସହିତ ଦୋଷୀମାନଙ୍କୁ ଗିରଫ କରାଯିବାକୁ ଦାବି
ବିରୂପାକ୍ଷଙ୍କୁ ଶୀଘ୍ର ଉଦ୍ଧାର ସହିତ ଦୋଷୀମାନଙ୍କୁ ଗିରଫ କରାଯିବାକୁ ଦାବି  ୧


ବିରୂପାକ୍ଷଙ୍କୁ ଶୀଘ୍ର ଉଦ୍ଧାର ସହିତ ଦୋଷୀମାନଙ୍କୁ ଗିରଫ କରାଯିବାକୁ ଦାବି


ବୌଦ୍ଧ, ୧୬ ନଭେମ୍ବର (ହି.ସ.)- ବୌଦ୍ଧ ଗାନ୍ଧୀ ଛକର ଯୁବ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ନିଖୋଜ ହେବାର ୫ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ l ଅନ୍ୟପକ୍ଷରେ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦାବି ନେଇ ବୌଦ୍ଧ ବଣିକ ସଂଘ ନେତୃତ୍ୱରେ ୬ଟି ସଂଗଠନର ସଦସ୍ୟମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କୁ ପ୍ରଦାନ କରିଛନ୍ତି l ୬ଟି ସଂଗଠନର ସଦସ୍ୟମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ମାର୍ଜକୁଦ ବ୍ରିଜ ଛକ ଠାରୁ ବାହାରି ଜିଲା ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ l ବୌଦ୍ଧ ବଣିକ ସଂଘ ନେତୃତ୍ୱରେ ବୁଟୁପାଲି ବଣିକ ସଂଘ, ଟାଉନ ଦୁର୍ଗାପୂଜା କମିଟି, ବୌଦ୍ଧ ଜିଲା ବଣିକ ମହାସଂଘ, ବୌଦ୍ଧ ମାରୱାଡି ସମାଜ ଓ ମାରୱାଡି ଯୁବ ମଞ୍ଚର ସଦସ୍ୟମାନେ ସାମିଲ ହୋଇଥିଲେ l ବିକ୍ଷୋଭକାରୀଙ୍କ ପକ୍ଷରୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବା, ସମସ୍ତ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ଉପଲବ୍ଧ ବୈଷୟିକ ପ୍ରମାଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା, ବିରୂପାକ୍ଷ ଅଗ୍ରୱାଲଙ୍କୁ ତୁରନ୍ତ ଠାବ କରାଯିବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା, ଛତନିଆକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନଙ୍କ ସମ୍ପୃକ୍ତି ନେଇ ଉଠିଥିବା ଅଭିଯୋଗର ତୁରନ୍ତ ତଦନ୍ତ କରାଯିବା ଏବଂ ଯଦି ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଯଦି ଅନ୍ୟ କେହି ବ୍ୟକ୍ତି ଏହି ଘଟଣାରେ ଜଡ଼ିତ ଥାଆନ୍ତି, ତେବେ ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରାଯିବା, ତଦନ୍ତର ଅଗ୍ରଗତି ସମ୍ପର୍କରେ ପୀଡ଼ିତଙ୍କ ପରିବାରକୁ ନିୟମିତ ଭାବେ ଅବଗତ କରାଯିବାକୁ ଦାବୀ କରାଯାଇଛି । ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଦାବିପତ୍ର ଗ୍ରହଣ କରିବା ସହିତ ପୋଲିସ ର ସକ୍ରିୟତା, ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଗିରଫଦାରି ନେଇ ପ୍ରତିଶୃତି ଦେଇଥିଲେ l

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୨ ତାରିଖ ମଧ୍ୟାନ୍ହ ସମୟରୁ ବିରୂପାକ୍ଷ ଅଗ୍ରୱାଲ ନିଖୋଜ ହୋଇଥିବା ସୂଚନା ଦିଆଯାଇଛି l ବିରୂପାକ୍ଷଙ୍କ ନିଖୋଜ ହେବା ନେଇ ତାଙ୍କ ଭାଇ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ୟକ୍ତ ଲୋକେ ବାଘଗୁଡା- ରାଜନପାଲି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା । ବିରୂପାକ୍ଷ ଅଗ୍ରୱାଲ ନିଖୋଜ ଘଟଣାରେ ଶନିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ବୌଦ୍ଧ ମାରୱାଡି ସମାଜ ଓ ମାରୱାଡି ଯୁବ ମଞ୍ଚର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ଭେଟିଥିଲେ l ପ୍ରତିନିଧି ଦଳ ପୋଲିସର ପଦକ୍ଷେପକୁ ତ୍ଵରାନ୍ଵିତ କରାଯିବା ସହ ବିରୂପାକ୍ଷଙ୍କୁ ଶୀଘ୍ର ଉଦ୍ଧାର ଏବଂ ଘଟଣାରେ ଦୋଷୀମାନଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ l

ଆଜିର ବିକ୍ଷୋଭ ଶୋଭାଯାତ୍ରାରେ ବୌଦ୍ଧ ବଣିକ ସଂଘର ସଭାପତି ପ୍ରମିଲ ଦଲାଲ, ସମ୍ପାଦକ ସୁନୀଲ ଅଗ୍ରୱାଲ, ବୁଟୁପାଲି ବଣିକ ସଂଘର ସଭାପତି ଭୁବନ ମେହେର, ଟାଉନ ଦୁର୍ଗାପୂଜା କମିଟିର ସଭାପତି ତଥା ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀ, ବୌଦ୍ଧ ଜିଲା ବଣିକ ମହାସଂଘର ବୁଲୁ ସାହୁ, ବିଜୟ କୁମାର ଅଗ୍ରୱାଲ, ମାରୱାଡି ସମାଜର ଉପସଭାପତି ରାଜକପୁର ଅଗ୍ରୱାଲ, ସମ୍ପାଦକ ସନ୍ଥ କୁମାର ଅଗ୍ରୱାଲ ଓ ମାରୱାଡି ଯୁବ ମଞ୍ଚର ସଭାପତି ଆଶିଷ କୁମାର ଗର୍ଗ, ସମ୍ପାଦକ ଶିବମ ଅଗ୍ରୱାଲଙ୍କ ସମତେ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande