କିର୍ମିରା ବ୍ଲକ ଅନ୍ତର୍ଗତ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
Collector visit Bhalupatra ashram school
କିର୍ମିରା ବ୍ଲକ ଅନ୍ତର୍ଗତ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୧୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି କିର୍ମିରା ବ୍ଲକ ଅନ୍ତର୍ଗତ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି ଏବଂ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସଞ୍ଜୀବ କୁମାର ପଟେଲ ଏବଂ କିର୍ମିରା ମଙ୍ଗଳ ଅଧିକାରୀ ସଞ୍ଜିତା ମହାନ୍ତ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ନିର୍ମାଣାଧୀନ ଅତିରିକ୍ତ ଶ୍ରେଣୀଗୃହ ଏବଂ ମଧ୍ୟାହ୍ନ ଭୋଜନ ରୋଷେଇ ଘରର କାର୍ଯ୍ୟ ଅଗ୍ରଗତି ତଦାରଖ କରିଥିଲେ। ନିର୍ମାଣ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଜିଲ୍ଲାପାଳ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀଗୃହ ସମେତ ଛାତ୍ରଛାତ୍ରୀମାନେ ବ୍ୟବହାର କରୁଥିବା ଶୌଚାଳୟ ଓ ସ୍ନାନାଗାରଗୁଡ଼ିକର ପରିମଳ ବ୍ୟବସ୍ଥା ବୁଲି ଦେଖିଥିଲେ। ବିଦ୍ୟାଳୟ ପରିସରରେ ଥିବା ପୁରାତନ ତଥା ବିପଦସଙ୍କୁଳ ଭଗ୍ନ କୋଠାକୁ ହଟାଇ ସେହି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ନୂତନ ଶୌଚାଳୟ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande