
ସମ୍ବଲପୁର/ଭୁବନେଶ୍ୱର,୧୬ ନଭେମ୍ବର (ହି.ସ) - ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତ ଅବସରରେ ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ମହାନ ପର୍ବ ‘ଛଠ୍ ପୂଜା’ର ଅନ୍ତିମ ପର୍ବ ‘ଉଷା ଅର୍ଘ୍ୟ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରାତଃ କାଳରେ ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ପୂଜା ଘାଟ ପରିଦର୍ଶନ କରିବା ସହ ଶ୍ରଦ୍ଧାଳୁମାନଙ୍କ ଗହଣରେ ରହି ଉଦୟମାନ ସୂର୍ଯ୍ୟଦେବଙ୍କୁ ପ୍ରଣାମ ଓ ଅର୍ଘ୍ୟ ଅର୍ପଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।
ଶ୍ରୀ ପ୍ରଧାନ ସୋମବାର ସମ୍ବଲପୁରର ମାରୱାଡ଼ିପଡ଼ା ଏବଂ ମାନ୍ଦଲିଆ ଠାରେ ଆୟୋଜିତ ଛଠ୍ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଛଠ୍ ପର୍ବ ହେଉଛି ପ୍ରକୃତି, ସୂର୍ଯ୍ୟ ଉପାସନା ଏବଂ ସ୍ୱଚ୍ଛତାର ଏକ ଅନନ୍ୟ ପ୍ରତୀକ । ଚାରି ଦିନ ଧରି ଆସ୍ଥା, ଶ୍ରଦ୍ଧା ଏବଂ ନିଷ୍ଠାର ସହ ପାଳିତ ହେଉଥିବା ଏହି ମହାନ ଉତ୍ସବ ସମାଜରେ ସାମୂହିକ ଭାଇଚାରା ଓ ଏକତାକୁ ଆହୁରି ସୁଦୃଢ଼ କରିଥାଏ । ପ୍ରକୃତିର ସଂରକ୍ଷଣ ସହ ଆମର ଏହି ପ୍ରାଚୀନ ପରମ୍ପରା ଆଗାମୀ ପିଢ଼ିକୁ ସଂସ୍କାର ଓ ଆଧ୍ୟାତ୍ମିକ ଚେତନା ସହ ଯୋଡ଼ି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ପବିତ୍ର ଛଠ୍ ମହାପର୍ବ ଅବସରରେ ଶ୍ରୀ ପ୍ରଧାନ ସମସ୍ତ ରାଜ୍ୟବାସୀ ତଥା ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭଗବାନ ସୂର୍ଯ୍ୟ ଏବଂ ଛଠୀ ମୈୟାଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି । ପ୍ରତିଟି ଘର ଓ ଅଗଣା ଖୁସିରେ ଆଲୋକିତ ହେଉ ଏବଂ ସମସ୍ତଙ୍କର ମନୋସ୍କାମନା ପୂର୍ଣ୍ଣ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଏହାବ୍ୟତୀତ ଆଜିର ଏହି ପବିତ୍ର ଦିନରେ ଶ୍ରୀ ପ୍ରଧାନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଏବଂ ମା’ ପାଟଣେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମା’ଙ୍କ ଆଶୀର୍ବାଦରୁ ସମଗ୍ର ଜଗତର କଲ୍ୟାଣ ହେଉ ଏବଂ ଓଡ଼ିଶାର ପ୍ରଗତି ଆହୁରି ତ୍ୱରାନ୍ୱିତ ହେଉ ବୋଲି ଶ୍ରୀ ପ୍ରଧାନ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା