ଲଖନପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି ଜୋରଦାର
Demand to central school at Lakhanpuur block
ଲଖନପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି ଜୋରଦାର


ଖଣିଜ ସମ୍ପଦରୁ କୋଟି କୋଟି ରାଜସ୍ଵ, ହେଲେ ଶିକ୍ଷା ପାଇଁ ନାହିଁ ସୁବିଧା

ଝାରସୁଗୁଡା, ୧୬ ନଭେମ୍ବର (ହି.ସ.)- ଖଣିଜ ସମ୍ପଦରେ ଭରପୂର ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ୍ ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦାବି ଜୋର ଧରିଛି। କୋଇଲା ଖଣି, ଏମ୍ସିଏଲ୍ ଏବଂ ବିସିଜିସିଏଲ୍ ଭଳି ବୃହତ୍ କେନ୍ଦ୍ରୀୟ ପ୍ରକଳ୍ପ ଥିବା ସତ୍ତ୍ୱେ ଅଞ୍ଚଳରେ ଗୋଟିଏ ହେଲେ କେନ୍ଦ୍ରୀୟ ବିଦ୍ୟାଳୟ ନଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଲଖନପୁର ଅଞ୍ଚଳରୁ କେନ୍ଦ୍ର ସରକାରଙ୍କୁ ବିପୁଳ ରାଜସ୍ୱ ମିଳୁଥିବା ବେଳେ ଏଠାକାର ଲୋକେ ଖଣି ଓ ଶିଳ୍ପଜନିତ ପ୍ରଦୂଷଣର ଭାର ବହନ କରୁଛନ୍ତି। କିନ୍ତୁ, ସ୍ଥାନୀୟ ପିଲାଙ୍କ ଉନ୍ନତ ଶିକ୍ଷା ପାଇଁ ଆବଶ୍ୟକ ସୁବିଧା ନଥିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି। ଝାରସୁଗୁଡ଼ା ଜିଲାର ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ରେଳବାଇ କଲୋନିରେ ଅବସ୍ଥିତ ଥିବାରୁ ଲଖନପୁର ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ପ୍ରାୟ ୯୦ କିଲୋମିଟର ଦୂର ଯାତ୍ରା କରିବାକୁ ପଡ଼ୁଛି। ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଏସ୍ୟୁ ସେକ୍ଟର ନିୟମ ଅନୁଯାୟୀ, କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକ ଜମି ଓ ଆବଶ୍ୟକ ସହଯୋଗ ଯୋଗାଇ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନେଇପାରିବେ। ଏହି ଅଞ୍ଚଳରେ ଏମ୍ସିଏଲ୍, ଆଇବି ଭ୍ୟାଲି ଓସିପି, ସିଆଇଏସ୍ଏଫ୍ ଏବଂ ରେଳବାଇ କର୍ମଚାରୀଙ୍କୁ ମିଶାଇ ଆବଶ୍ୟକ କର୍ମଚାରୀ ସଂଖ୍ୟା ପୂରଣ ହେବାର ସୁଯୋଗ ରହିଛି। ଏଥିସହ ଏମ୍ସିଏଲ୍ ପାଖରେ ପର୍ଯ୍ୟାପ୍ତ ଜମି ଥିବାରୁ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୮ ଏକର ଜମି ଯୋଗାଇଦେବା ସମ୍ଭବ ବୋଲି ଦାବି ହେଉଛି।

ଅନ୍ୟପକ୍ଷରେ ବିସିଜିସିଏଲ୍ ର ପ୍ରସ୍ତାବିତ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଗାମୀ ଦିନରେ ଅଞ୍ଚଳରେ ଅଧିକ ସଂଖ୍ୟକ ଇଞ୍ଜିନିୟର ଓ ଅନ୍ୟ ବର୍ଗର କର୍ମଚାରୀ ନିୟୋଜିତ ହେବେ। ଏହାଦ୍ୱାରା କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତା ଆହୁରି ବୃଦ୍ଧି ପାଇବ।

ଅଞ୍ଚଳରେ ଡିଏଭି ବିଦ୍ୟାଳୟ ଥିଲେ ମଧ୍ୟ ଏହାର ମାସିକ ଫି’ ୨ ହଜାରରୁ ୪ ହଜାର ଟଙ୍କା ହୋଇଥିବାରୁ ସାଧାରଣ ଓ ଗରିବ ପରିବାର ପାଇଁ ପିଲାଙ୍କୁ ପଢ଼ାଇବା କଷ୍ଟକର ହେଉଛି। ତୁଳନାମୂଳକ ଭାବେ କମ୍ ଖର୍ଚ୍ଚରେ ଶିକ୍ଷା ଉପଲବ୍ଧ ହେଉଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲେ ଗରିବ ଓ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

ତେଣୁ ସ୍ଥାନୀୟ ସାଂସଦ, ବିଧାୟକ ଓ ଜିଲା ପ୍ରଶାସନ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ଆନୁଷ୍ଠାନିକ ପ୍ରସ୍ତାବ ପଠାଇବା ସହ ଏହି ଦାବି ପୂରଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ମହଲରେ ଦୃଢ଼ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande